ଏଲୋପାଥି ଚିକିତ୍ସା ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କଲେ ଯୋଗଗୁରୁ ରାମଦେବ

ନୂଆଦିଲ୍ଲୀ : ଏଲୋପାଥି ଚିକିତ୍ସା ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ଯୋଗ ଗୁରୁ ରାମଦେବ କହିଛନ୍ତି। ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ପତ୍ର ପାଇବା ପରେ ସେ ତାଙ୍କର ମନ୍ତବ୍ୟ ପ୍ରତ୍ୟାହାର କରିନେଇଥିବା କଥା ସୂଚନା ଦେଇଛନ୍ତି।
ଟୁଇଟ୍ କରି ରାମଦେବ ଲେଖିଛନ୍ତି, ଆପଣଙ୍କ ପତ୍ର ପାଇଲି ଡାକ୍ତର ହର୍ଷ ବର୍ଦ୍ଧନ। ସେହି ପରିପ୍ରେକ୍ଷୀରେ ଏବଂ ଭିନ୍ନ ଭିନ୍ନ ଚିକିତ୍ସା ପଦ୍ଧତ୍ତିରେ ଥିବା ପାର୍ଥକ୍ୟଜନିତ ଉପୁଜିଥିବା ସାମଗ୍ରିକ ବିବାଦର ଅବସାନ ନିମନ୍ତେ ଦୁଃଖର ସହ ମୁଁ ମୋର ମନ୍ତବ୍ୟ ପ୍ରତ୍ୟାହାର କରିନେଉଛି। କିନ୍ତୁ, ଏହାର ମାତ୍ର ୮ ମିନିଟ୍ ପରେ ସେ ଜଣେ ଟୁଇଟର୍ ବ୍ୟବହାରକାରୀଙ୍କ ପୋଷ୍ଟ୍ ରିଟୁଇଟ୍ କଲେ। ସେଥିରେ ଉଲ୍ଲେଖ ଥିଲା, ଯୋଗ ଏବଂ ଆୟୁର୍ବେଦ ଆମକୁ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟ ଦିଅନ୍ତି। ଆଧୁନିକ ଡାକ୍ତରୀ ବିଜ୍ଞାନରେ ବାଧକ ରହିଛି। ଏହା କେବଳ ଉପସର୍ଗୀୟ ଚିକିତ୍ସା କରୁଥିବା ବେଳେ ଯୋଗ ଏବଂ ଆୟୁର୍ବେଦ ରୀତିମତେ ଚିକିତ୍ସା କରିଥାଆନ୍ତି। ରାମଦେବଙ୍କ ନିକଟକୁ ପଠାଇଥିବା ପତ୍ରରେ ଡାକ୍ତର ହର୍ଷବର୍ଦ୍ଧନ ଲେଖିଥିଲେ, ଏଲୋପାଥି ଔଷଧ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ପାଇଁ ଦେଶବାସୀ ଖୁବ୍ ଆଘାତ ପାଇଛନ୍ତି। ମୁଁ ଏକଥା ଫୋନ୍ରେ ଆପଣଙ୍କୁ ପୂର୍ବରୁ କହିସାରିଛି। ଦେଶବାସୀଙ୍କ ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟସେବାକାରୀମାନେ ଈଶ୍ବରଙ୍କ ସଦୃଶ। ଆପଣା ଜୀବନ ବିପନ୍ନ କରି ସେମାନେ କରୋନାଭାଇରସ୍ ବିପକ୍ଷରେ ସଂଗ୍ରାମ ଚଳାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏକ ଭିଡିଓରେ ରାମଦେବ କହିଥିଲେ ଯେ, ଏଲୋପାଥି ହେଉଛି‘ନିର୍ବୋଧ ବିଜ୍ଞାନ’ ଏବଂ କରୋନାଭାଇରସ୍ ନିଜେ ଯେତେସଂଖ୍ୟକ ରୋଗୀଙ୍କୁ ମାରିନାହିଁ, ଏଲୋପାଥି ଔଷଧ ଖାଇ ତା’ଠାରୁ ଅଧିକ କୋଭିଡ୍-୧୯ ରୋଗୀ ପ୍ରାଣ ହରାଇଛନ୍ତି। ଏଭଳି ମନ୍ତବ୍ୟ ସେ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ନଚେତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶନିବାର ଦିନ ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ) କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା।