ଯୋଗଗୁରୁ ବାବା ରାମଦେବଙ୍କୁ ସମନ ଜାରି କଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ
![](https://thetruths.in/wp-content/uploads/2021/06/Baba-Ramdev-1024x576.jpg)
ନୂଆଦିଲ୍ଲୀ: ଦିଲ୍ଲୀ ଚିକିତ୍ସକ ସଂଘ (ଡିଏମ୍ଏ) ପକ୍ଷରୁ ଦାୟର ଆବେଦନ ଆଧାରରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଯୋଗଗୁରୁ ରାମଦେବଙ୍କୁ ସମନ ଜାରି କରିଛନ୍ତି। ରାମ ଦେବଙ୍କ ଉପରେ କଟକଣା ଲାଗୁ କରାଯାଇ ପାରିବ ନାହିଁ। ବାକ୍ ସ୍ବାଧୀନତା ଆଇନ ଅନୁଯାୟୀ ସେ ତାଙ୍କର ମତବ୍ୟକ୍ତ କରିପାରିବେ ବୋଲି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି।
ରାମଦେବ ଏଲୋପାଥି ଚିକିତ୍ସା ବିଜ୍ଞାନ ବିରୋଧରେ ମନ୍ତବ୍ୟ ଦେବା ସହିତ ଓ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ପ୍ରସ୍ତୁତ କରୋନା ଭୂତାଣୁ ନିରୋଧୀ କରୋନିଲ୍ କିଟ୍କୁ ନେଇ ମିଥ୍ୟା ପ୍ରଚାର କରୁଥିବା ଡିଏମ୍ଏ ଏହାର ଆବେଦନରେ ଅଭିଯୋଗ କରିଥିଲା। କରୋନିଲ୍ କିଟ୍କୁ ନେଇ ରାମଦେବ କରୁଥିବା ମିଥ୍ୟା ପ୍ରଚାରରୁ ନିବୃତ୍ତ ରଖିବା ଲାଗି ଡିଏମଏ ଉଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଥିଲା। ଡିଏମଏର ଏହି ଆବେଦନ ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ରାମଦେବଙ୍କୁ ସମନ ଜାରି ପୂର୍ବକ ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଜୁଲାଇ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ସମୟ ମଧ୍ୟରେ କୌଣସି ପ୍ରକାର ଉତ୍ତେଜକ ମନ୍ତବ୍ୟ ନ ଦେବାକୁ ଅଦାଲତ ରାମଦେବଙ୍କୁ ତାଙ୍କ ଓକିଲଙ୍କ ମାଧ୍ୟମରେ ମୌଖିକ ନିର୍ଦେଶ ଦେଇଛନ୍ତି। ଏହି ଆବେଦନରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ବିଟର, ଫେସବୁକ ଏବଂ ଆସ୍ଥା ନ୍ୟୁଜ୍ ଚାନେଲକୁ ପକ୍ଷଭୁକ୍ତ କରାଯାଇଥିବାବେଳେ ସେଗୁଡିକୁ ମଧ୍ୟ ଅଦାଲତ ସମନ ଜାରି କରିଛନ୍ତି। ଶୁଣାଣି ବେଳେ ବିଚାରପତି ସି ହରି ଶଙ୍କର କହିଥିଲେ, ‘ରାମଦେବଙ୍କ ମନ୍ତବ୍ୟ ସ୍ବାଧୀନ ମତବ୍ୟକ୍ତର ଅଧିକାର ପରିସର। ଜଣେ ବ୍ୟକ୍ତିର ଏପରି ସ୍ବାଧୀନ ମତବ୍ୟକ୍ତର ଅଧିକାର କ’ଣ ରହିବା ଉଚିତ୍ ନୁହେଁ। ମୁଁ ଯଦି ଅନୁଭବ କଲି ଯେ ହୋମିଓପାଥି ଚିକିତ୍ସା ବିଜ୍ଞାନ ଭୁଲ୍। ତେବେ କ’ଣ ହୋମିଓପାଥି ଚିକିତ୍ସା ପଦ୍ଧତି ଆପଣାଇଥିବା ବ୍ୟକ୍ତି ବିଶେଷ ମୋ ବିରୋଧରେ ମାମଲା ରୁଜୁ କରିବେ।’ ତେଣୁ ଦିଲ୍ଲୀ ଚିକିତ୍ସକ ସଂଘ ନିଜର ଗୁରୁତ୍ବପୂର୍ଣ୍ଣ ସମୟକୁ ମାମଲା ଲଢେଇରେ ନଷ୍ଟ ନ କରି କରୋନା ଭୂତାଣୁ ନିରାକରଣ ଦିଗରେ ବିତାଇବା ଠିକ୍ ହେବ। ଅଦାଲତ କହିଥିଲେ କରୋନିଲ୍ କିଟ୍ କରୋନା ସଂକ୍ରମିତ ସୁସ୍ଥ କରିପାରୁଛି କି ନାହିଁ ତାହା କହିପାରିବେ ନାହିଁ। ଡାକ୍ତରୀ ବିଶେଷଜ୍ଞମାନେ ହିଁ ଏହି ଠିକ୍ ଭୁଲ୍ କହିପାରିବେ।
ରାମଦେବଙ୍କ ତରଫରୁ ବରିଷ୍ଠ ଆଡ୍ଭୋକେଟ୍ ରାଜୀବ ନାୟର ଅଦାଲତଙ୍କୁ କହିଲେ ଯେ, ରାମଦେବ ଡାକ୍ତରମାନଙ୍କ ବିରୋଧରେ ଦେଇଥିବା ବିବୃତି ମେ ୨୨ ତାରିଖ ପ୍ରତ୍ୟାହାର କରି ନେଇଛନ୍ତି। ଅଦାଲତ କହିଲେ, ଏଥର ଆଉ ଡାକ୍ତରଙ୍କ ବିରୋଧରେ ବିବୃତି ନ ଦେବାକୁ ତାଙ୍କୁ କୁହନ୍ତୁ। କିନ୍ତୁ, ସେ ‘କରୋନିଲ୍’ ସପକ୍ଷରେ ମନ୍ତବ୍ୟ ଦେଲେ ମୋର କୌଣସି ଆପତ୍ତି ନାହିଁ। ସେହିପରି ଅଦାଲତ ଆହୁରି ମଧ୍ୟ କହିଲେ ଯେ, ମାମଲା ରୁଜୁ ନ କରି ‘ଦିଲ୍ଲୀ ମେଡିକାଲ୍ ଆସୋସିଏନ୍’ ଜନସ୍ବାର୍ଥ ମାମଲା ଦାଏର କରିବା ଉଚିତ ଥିଲା। ମୋର ମନେହୁଏ କେତେକ ବିଜ୍ଞାନ ମିଥ୍ୟା। ଆସନ୍ତାକାଲି ମୋର ମନେ ହେବ ହୋମିଓପାଥି ବି ମିଥ୍ୟା। ଏଥିପାଇଁ କ’ଣ ହୋମିଓପାଥି ଡାକ୍ତର ମୋ ବିରୋଧରେ ମାମଲା କରିବେ? ଏଇଟା ସାଧାରଣ ଜନମତ। ଆପଣମାନଙ୍କ ଏଲୋପାଥି ବୃତ୍ତି ଏତେ ଅସୁରକ୍ଷିତ ବୋଲି ମୋର ମନେହୁଏ ନାହିଁ। ଏହା ବ୍ୟତିରେକେ, ଯୋଗ ଗୁରୁଙ୍କ ବିବୃତି ବାକ୍ ସ୍ବାଧୀନତା ଏବଂ ଭାବନା ବ୍ୟକ୍ତ କରିବା ଆଇନ ଅନ୍ତର୍ଗତ ହୋଇଥିବାରୁ ତାଙ୍କ ଉପରେ କଟକଣା ଲାଗୁ କରାଯାଇ ପାରିବ ନାହିଁ।