୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲାରେ କାଳବୈଶାଖୀ ସହ ବଜ୍ରପାତ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୯ଟି ଜିଲାରେ କାଳବୈଶାଖୀ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ଜିଲ୍ଲା ଉପରେ କିଛି ସ୍ଥାନରେ ଏବଂ ଓଡିଶାର ବାକି ଜିଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ପାଗ ଲାଗି ରହିବ ବୋଲି ସୁଚନା ମିଳିଛି। ଏପରିକି ଅଭ୍ଯନ୍ତରୀଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ ୧୧ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ରାଜ୍ୟରେ ଶିଘ୍ର ପହଞ୍ଚିବା ପାଇଁ ପାଗ ଅନୁକୂଳ କରିବ ବୋଲି ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ କୁହାଯାଇଛି।
ଜାରି ସତର୍କ ସୂଚନା ମତାବକ ଆଜି (୫ ଜୁନ୍, ଶନିବାର) ଅପରାହ୍ନ ୧ଟା ୩୦ ମିନିଟ ସମୟରୁ ଆସନ୍ତାକାଲି (୬ ଜୁନ୍, ରବିିବାର) ସକାଳ ୮ଟା୩୦ ମିନିଟ ମଧ୍ୟରେ ରାଜ୍ୟର ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛ ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲା ପାଇଁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ଓ ବଜ୍ରପାତ ସମୟରେ ଘର ଭିତରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।