ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ : ନ୍ୟୁଜିଲାଣ୍ଡକୁ ୧୩୯ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

- ବ୍ୟାଟସମ୍ୟାନଙ୍କ ଦୟନୀୟ ବ୍ୟାଟିଂ, ପରାଜୟ ସଙ୍କଟରେ ଭାରତୀୟ ଦଳ
ସାଉଥାମ୍ପଟନ୍: ଇଂଲଣ୍ଡର ସାଉଥାମ୍ପଟନ୍ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ୧୩୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ନିଜର ୨ୟ ଇନିଂସରେ ଭାରତ ୧୭୦ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୧ ରନ ଓ ରୋହିତ ଶର୍ମା ୩୦ ରନ କରିଥିଲେ । ମାତ୍ର ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ସ୍କୋର କରିପାରିନଥିଲେ । ଅଧିନାୟକ ବିରାଟ କୋହଲି ମାତ୍ର ୧୩ ରନ କରି ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି ୪ଟି, ଟ୍ରେଣ୍ଟ ବୋଲଟ ୩ଟି ଓ କାଇଲ ଜେମିସନ ୨ଟି ଓ୍ବିକେଟ ନେଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ଫାଇନାଲ ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସରେ ୨୧୭ କରିଥିବାବେଳେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୪୯ ରନ କରିଥିଲା । ଫଳରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ବହୁମୂଲ୍ୟ ୩୨ ରନର ଅଗ୍ରଣୀ ପାଇଥିଲା ।
ପୁଣି ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ। ସଙ୍କଟରେ ପଡିଲା ଭାରତୀୟ ଦଳ। ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ ଭାରତୀୟ ଦଳ ଉପରେ ଛାଇଲା ପରାଜୟର ବାଦଲ। ଏବେ ନିରାଶରେ ପ୍ରଶଂସକ। କଣ ମ୍ୟାଚ୍ ବଞ୍ଚାଇବାରେ ସଫଳ ହେବ ବିରାଟ ବାହିନୀ ଏବଂ ପ୍ରଥମ ଆଇସିସି ଟେଷ୍ଟ ଚମ୍ପିଆନସିପ୍ରେ ଯୁଗ୍ମ ବିଜେତା ଘୋଷିତ ହେବ, ଏହି ଆଶଙ୍କାରେ ଭାରତୀୟ ପ୍ରଶଂସକ। ଦ୍ଵିତୀୟ ଇନିଂସରେ ବ୍ୟାଟସମ୍ୟାନଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତ ୧୭୦ ରନରେ ଅଲଆଉଟ୍ ହୋଇଛି। ଏଥିସହ ପ୍ରଥମ ଇନିଂସରେ ୩୨ ରନର ଅଗ୍ରଣୀ ହାସଲ କରିଥିବା ନ୍ୟୁଜିଲାଣ୍ଡ ସାମ୍ନାରେ ରହିଛି ୧୩୯ ରନର ବିଜୟ ଲକ୍ଷ୍ୟ। ଭାରତ ପକ୍ଷରୁ ଋଷଭ ପନ୍ତଙ୍କୁ ବାଦ୍ ଦେଲେ କୌଣସି ହେଲେ ବ୍ୟାଟସମ୍ୟାନ କିଓ୍ଵି ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନାହାନ୍ତି। ପରିଣାମସ୍ଵରୂପ ଦୁଇ ଦିନରୁ ଅଧିକ ସମୟ ଖେଳ ବର୍ଷା ଯୋଗୁଁ ବାତିଲ୍ ହେବା ପରେ ବି ରିଜର୍ଭ ଡେରେ ଫାଇନାଲ୍ ମୁକାବିଲାର ପରିଣାମ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୪୧ ରନ କରିଥିଲେ। ଭାରତୀୟ ଦଳ ଗତକାଲିର ସ୍କୋର ୬୪/୨ର ଖେଳ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ଚେତେଶ୍ଵର ପୂଜାରା ଓ ବିରାଟ କୋହଲି। ହେଲେ ବୁଧବାର ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳକୁ ବିରାଟ କୋହଲିଙ୍କ ରୂପେ ଜୋରଦାର ଝଟକା ଲାଗିଥିଲା। କୋହଲି ୧୩ ରନ କରି ବିଦାୟ ନେଇଥିଲେ। ତାଙ୍କୁ କାଇଲ ଜେମିସନ ପୁଣି ଥରେ ନିଜ ଜାଲରେ ଫସାଇ ଆଉଟ୍ କରିଥିଲେ। ଚେତେଶ୍ଵର ପୂଜାରା ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ୧୫ ରନ କରି ଜେମିସନଙ୍କ ଶିକାର ହୋଇଥିଲେ। ଏହା ପରେ ଭାରତୀୟ ଦଳ କିଓ୍ଵି ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ନିୟମିତ ଭାବେ ଓ୍ଵିକେଟ୍ ହରାଇ ଚାଲିଥିଲା। ମଧ୍ୟ କ୍ରମରେ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ କିଛି ସମୟ କ୍ରିଜରେ ଜମି ଇନିଂସ ଆଗକୁ ନେବାକୁ ସଂଘର୍ଷ କରିଥିଲେ। ପଞ୍ଚମ ଓ୍ଵିକେଟ୍ରେ ରାହାଣେ ଓ ପନ୍ତ ୩୭ ରନ ଯୋଡିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନଥିଲା। ଦୁଇ ବ୍ୟାଟସମ୍ୟାନଙ୍କଠୁ ଦଳ ବହୁତ ଆଶା ରଖିଥିଲା। ହେଲେ ରାହାଣେ(୧୫) ଆଉଟ୍ ହେବା ଭାରତକୁ ଜୋରଦାର ଝଟକା ଲାଗିଥିଲା। ୧୦୯ ରନରେ ୫ ଓ୍ଵିକେଟ୍ ହରାଇଥିବା ଭାରତର ଇନିଂସ ପାଇଁ ପନ୍ତ ଓ ଜାଡେଜା କିଛି ସମୟ ଆଶା ସଞ୍ଚାର କରିଥିଲେ। ଏପରିକି ଦୁଇ ବ୍ୟାଟସମ୍ୟାନ ଷଷ୍ଠ ଓ୍ଵିକେଟ୍ରେ ୩୩ ରନ ଯୋଡିଥିଲେ। କିନ୍ତୁ ଏହି ଯୋଡି ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଜାଡେଜା(୧୬) ଓ୍ଵାଗନରଙ୍କ ଶିକାର ହୋଇଥିଲେ। ହେଲେ ପନ୍ତ ଆଉଟ୍ ହେବା ସବୁ ଆଶା ପାଣିରେ ମିଳାଇ ଯାଇଥିଲା। ପନ୍ତ କିଓ୍ଵି ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ ଏବଂ ୪୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଆଉଟ୍ ହୋଇଥିଲେ। ସାମି ୧୦ ବଲରୁ ଦ୍ରୁତ ୧୩ ରନ କରିଥିଲେ। ଶେଷରେ ବୁମରାଙ୍କୁ ଆଉଟ୍ କରି ସାଉଦି ଭାରତୀୟ ଇନିଂସର ୧୭୦ ରେ ଅନ୍ତ ଘଟାଇଥିଲେ। ସୂଚନା ଯେ, ଭାରତର ପ୍ରଥମ ଇନିଂସ ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରିଥିଲା। ଏହା ପରେ ୩୨ ରନରେ ପଛୁଆ ଥିବା ଭାରତ ଦ୍ଵିତୀୟ ଇନିଂସରେ ୧୭୦ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡକୁ ୧୩୯ ରନର ବିଜୟ ଲକ୍ଷ୍ୟ ମିଳିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ଵିତୀୟ ଇନିଂସରେ ଟିମ୍ ସାଉଦି ଘାତକ ବୋଲିଂ କରି ୪୮ ରନରେ ୪ ଓ୍ଵିକେଟ୍ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ ୩ ଟି ଓ୍ଵିକେଟ୍ ନେଇଥିବା ବେଳେ ଜେମିସନ ୨ ଓ ଓ୍ଵାଗନର ଗୋଟିଏ ଓ୍ଵିକେଟ୍ ନେଇଥିଲେ।