ବାଲେଶ୍ୱର : ବାଲିଆପାଳରେ ରଥ ପାଇଁ କାଠ ଅନୁକୂଳ
ବାଲେଶ୍ୱର : ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ । ନୂତନ କାର୍ଯ୍ୟଟିଏ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ହେଉଛି ପୂରା ବର୍ଷ ମଧ୍ୟରେ ସବୁଠାରୁ ଶୁଭ ତିଥି । ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ । ଶୁଭଦିନ ମନେକରି ଏହିଦିନ ଅକ୍ଷିମୁଠି ଅନୁକୁଳ, ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମମାନ ଅନୁଷ୍ଠିତ ହୋଇଥାଏ । ସେହିପରି ଏହି ଦିନ ଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ହେବ। ଏହି ଦିନକୁ ଓଡିଆ ଧର୍ମ ଗ୍ରନ୍ଥରେ ସବୁଠୁ ପବିତ୍ର ଦିନ ବୋଲି ବିବେଚନା କରାଯାଏ । ଏହି ଅବସରରେ ବାଲେଶ୍ୱର ଜିଲା ବାଲିଆପାଳ ଶ୍ରଦ୍ଧାକ୍ଷେତ୍ରରେ ରଥ ନିର୍ମାଣ ପାଇଁ ଶନିବାର କାଠ ଅନୁକୂଳ କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ସୂଚନାରୁ ଯେ, ଶ୍ରଦ୍ଧା କ୍ଷେତ୍ରରେ ମହାପ୍ରଭୁଙ୍କ ସକାଳ ନୀତି କ୍ରାନ୍ତି ସମାପନ ପରେ କୋଭିଡ଼ର ସମସ୍ତ ନିୟମ ମାନି ମହାପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ନାମ ସଂକୀର୍ତ୍ତନ ଦଳ ସହିତ ଶ୍ରଦ୍ଧାକ୍ଷେତ୍ରର ଠାକୁର ରାଜା ତଥା ଶ୍ରଦ୍ଧାକ୍ଷେତ୍ରର ପ୍ରତିଷ୍ଠାତା ,ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ନୀତିନିୟମ ଅନୁଯାୟୀ ରଥ କାଠ ସଂଗ୍ରହ ପାଇଁ ବାଲିଆପାଳ ପଞ୍ଚାୟତର କାହ୍ନୁଚରଣ ଦେ ଙ୍କ ଘରେ ଏକ ଭବ୍ୟ ପରିବେଶ ମଧ୍ୟରେ ପହଞ୍ଚି ଥିଲେ। ରଥ ପାଇଁ ଉଦ୍ଦିଷ୍ଟ ଗଛ ଶ୍ରୀ ଦେଙ୍କ ବାଡ଼ିରେ ଥିବାରୁ ଶ୍ରୀ ଦେ ନିଜକୁ ଧନ୍ୟ ମନେକରିଥିଲେ।ଶ୍ରୀ ଦେ ଙ୍କ ବାଡ଼ିରେ ଥିବା ଆଜ୍ଞା ପ୍ରାପ୍ତ ଗଛକୁ ଯଥା ବିଧିରେ ମନ୍ଦିରର ବଡ଼ପଣ୍ଡା ପୂଜାର୍ଚ୍ଚନା କରି ସାରିବା ପରେ ବାଲିଆପାଳ ଶ୍ରଦ୍ଧାକ୍ଷେତ୍ରର ଠାକୁର ରାଜା ପ୍ରଥମେ ଗଛ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ। ଗଛ କଟା ଶେଷ ପରେ ରଥ କାଠକୁ ରଥ ଖଳାକୁ ନିଆଯାଇ ଶ୍ରଦ୍ଧାକ୍ଷେତ୍ର ରେ ପୂର୍ବ ପ୍ରଚଳିତ ଅନୁସାରେ ପୂର୍ବ ନିର୍ମିତ ରଥ ର ମରାମତି କାର୍ଯ୍ୟ ବଢେଇ ମହାରଣାମାନଙ୍କ ଦ୍ବାରା ଅପରାହ୍ନରେ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନ କୁମାର ପାଣିଗ୍ରାହୀ,ବାଲିଆପାଳ ସରପଞ୍ଚ ମଧୁସୁଦନ ବାରିକ,ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ତଦାରଖ କରିଥିଲେ।