ଓଡ଼ିଶାରେ କିଏ ଗଢ଼ିବ ସରକାର? ଆଜି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ, ଜାଣନ୍ତୁ ଘରେ ବସି କିପରି ଜାଣିବେ ଫଳାଫଳ
![](https://thetruths.in/wp-content/uploads/2024/06/Vote-Counting.jpg)
ଭୁବନେଶ୍ବର: ଓଡ଼ିଶାରେ କିଏ ଗଢ଼ିବ ସରକାର? ବିଜେଡି, ବିଜେପି ନା କଂଗ୍ରେସ? ତାହା ଆଜି (ମଙ୍ଗଳବାର) ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ। ରାଜ୍ୟବାସୀ କେଉଁ ଦଳ ଉପରେ ଭରସା କରୁଛନ୍ତି ତା’ର ଏକ ଚିତ୍ର ମଧ୍ୟାହ୍ନ ବେଳକୁ ଆସିଯିବ। ରାଜ୍ୟର ୨୫ବର୍ଷର ସ୍ଥାୟୀ ବିଜେଡି ସରକାରର ସଫଳତାକୁ ଲୋକ ବିଶ୍ବାସ କରିଛନ୍ତି ନା ସରକାର ଗଢ଼ିବାକୁ ଆଶାରେ ଥିବା ବିଜେପି, କଂଗ୍ରେସ ରାଜ୍ୟ ସରକାରଙ୍କ ଯେଉଁ ଦୋଷ ଦୁର୍ବଳତା କାଢ଼ିଛନ୍ତି ତାକୁ ବିଶ୍ବାସ କରୁଛନ୍ତି। ଜନତା ଜନାର୍ଦ୍ଦନଙ୍କ ବିଶ୍ବାସ ଜିଣି କିଏ ଓଡ଼ିଶାରେ ସରକାର ଗଢ଼ିବ ତାହା ଜଣାପଡ଼ିବ।
ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ୍ ୧୪୯୨ଜଣ ପ୍ରାର୍ଥୀ (ଲୋକସଭାରେ ୨୦୭ଜଣ, ବିଧାନସଭାରେ ୧୨୮୫)ଙ୍କ ଭାଗ୍ୟ ଏବେ ଇଭିଏମ୍ରେ ସିଲ୍ ହୋଇଥିବା ବେଳେ ମଙ୍ଗଳବାର ସକାଳ ୮ଟା ୩୦ରେ ଏହା ଖୋଲାଯିବ। ରାଜ୍ୟର ୭୦ଟି ସ୍ଥାନରେ ଭୋଟ୍ ଗଣତି ହେବ। ଏଥିରେ ଛତ୍ରପୁରରେ କେବଳ ବ୍ରହ୍ମପୁର ଓ ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନସ୍ଥ ବିଧାନସଭା ନିର୍ବାଚନମଣ୍ଡଳୀର ପୋଷ୍ଟାଲ ବାଲଟ୍ ଗଣତି ହେବାକୁ ଥିବାବେଳେ ବାକି ୬୯ଟି ସ୍ଥାନରେ ଇଭିଏମ୍ ଓ ପୋଷ୍ଟାଲ ବାଲଟ୍ ଗଣତି ହେବ। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ ୮ଟା ୩୦ରୁ ଇଭିଏମ୍ ସିଲ୍ ଫିଟାଇ ଗଣତି ଆରମ୍ଭ ହେବ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
ସୂଚନା ଯେ, ରାଜ୍ୟରେ ଗତ ମେ’ ୧୩, ୨୦, ୨୫ ଏବଂ ଜୁନ୍ ୧ରେ ମୋଟ୍ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ମତଦାନ ହାର ୭୪.୪୪% ପ୍ରତିଶତ ହୋଇଛି। ଏଥିରେ ୭୩.୩୭% ପୁରୁଷ ମତଦାନ କରିଥିବା ବେଳେ ୭୫.୫୫% ମହିଳା ମତଦାତା ଅଛନ୍ତି। ଏଥର ୨୧ଟି ଯାକ ଲୋକସଭା ଆସନ ପାଇଁ ୧ଲକ୍ଷ ୪୭ହଜାର ଏବଂ ବିଧାନସଭା ଆସନ ପାଇଁ ୧ଲକ୍ଷ ୪୬ ହଜାର ଜଣ ପୋଷ୍ଟାଲ ବାଲାଟ୍ରେ ମତଦାନ କରିଛନ୍ତି। ଭୋଟ୍ ଗଣତି ପାଇଁ ୭୦ଟି ଯାକ କେନ୍ଦ୍ରରେ ମୋଟ୍ ୩୫୮୯ଟି ଟେବୁଲ୍ ବ୍ୟବସ୍ଥା ହୋଇଥିବାବେଳେ ପ୍ରଥମେ ପ୍ରତି ଟେବୁଲ୍ରେ ପୋଷ୍ଟାଲ ବାଲାଟ୍ ଗଣତି ହେବ। ବିଧାନସଭା ପାଇଁ ୧୭୯୯ଟି ଟେବୁଲ୍ ଏବଂ ଲୋକସଭା ପାଇଁ ୧୭୯୦ଟି ଟେବୁଲ୍ ରହିବ। ଟେବୁଲ୍ ଦାୟିତ୍ବରେ ରିଟର୍ଣ୍ଣିଂ ଅଫିସର ଏବଂ ସହକାରୀ ରିଟର୍ଣ୍ଣିଂ ଅଫିସର ରହିବେ। ୬୦ଟି ଗଣତି କେନ୍ଦ୍ରରେ ଗୋଟିଏ ହଲ୍ରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ଗଣତି ହେବାକୁ ଥିବାବେଳେ ୮୭ଟି ସ୍ଥାନରେ ବିଧାନସଭା ପାଇଁ ପୃଥକ ଗଣତି ହେବ। ଏଥିପାଇଁ ମୋଟ୍ ୫୦୭୭ଜଣ ଗଣତି ସୁପରଭାଇଜର୍ ନିୟୋଜିତ ହେବେ। ଗଣତି ପ୍ରକ୍ରିୟା ଯାଞ୍ଚ କରିବାକୁ ୧୨୪ଜଣ ପର୍ଯ୍ୟବେକ୍ଷକ ସୁପରଭାଇଜର୍ ରହିବେ। ସେହିପରି ଭୋଟ୍ ଗଣତି ପରେ ସୃଷ୍ଟି ହେବାକୁ ଥିବା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ମୋଟ୍ ୧୪୯ କମ୍ପାନି ସିଏପିଏଫ୍ ମୁତୟନ କରାଯିବ। ସାଧାରଣ ଲୋକମାନେ ଘରେ ବସି ମୋବାଇଲ୍ ଓ କମ୍ପ୍ୟୁଟରରେ results.eci.gov.in ରେ ସାରା ରାଜ୍ୟର ନିର୍ବାଚନ ଫଳାଫଳ ଜାଣିପାରିବେ। ଏହାବାଦ୍ ଜିଲାପାଳମାନେ ଭୋଟ୍ ଗଣତି ପ୍ରକ୍ରିୟା ଏବଂ ପ୍ରାର୍ଥୀ କେତେ ଭୋଟ୍ ପାଉଛନ୍ତି ତା’ର ଟିକିନିଖ୍ ତଥ୍ୟ ଜଣାଇବାକୁ ସର୍ବସାଧାରଣ ସ୍ଥାନରେ ଏଲ୍ଇଡି ଟିଭି ଲଗାଇବାକୁ କୁହାଯାଇଛି।