ଆଜିଠୁ ସହରାଂଚଳରେ ସପ୍ତାହାନ୍ତ ସଟ୍ଡାଉନ୍
- ଚେକିଂ କଡ଼ାକଡ଼ି, ଅମାନିଆଙ୍କ ଉପରେ ନଜର
ଭୁବନେଶ୍ୱର : ଶନିବାର ଠାରୁ ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହାନ୍ତ ଶଟ୍ ଡାଉନ୍ ଆରମ୍ଭ ହେଉଛି । ଉଭୟ ଶନିବାର ଓ ରବିବାର ଶଟ୍ଡାଉନ୍ ହେବାକୁ ଥିବା ବେଳେ ଏହି ଦୁଇ ଦିନ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଂଟାଏ ଲାଗି କଟକଣା କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଲୋକେ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ କରିବାକୁ ବାହାରକୁ ଆସିପାରିବେ । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ ଜେନା ଶକ୍ରବାର ଦିନ ଏହି ସୂଚନା ଦେଇଛନ୍ତି । ଏସ୍ଆରସି କହିଛନ୍ତି, ଶୁକ୍ରବାର ରାତିର ନାଇଟ୍ କର୍ଫ୍ୟୁ ଶେଷ ହେବା ପରେଶନିବାର ସକାଳୁ ସପ୍ତାହାନ୍ତ ଶଟ୍ ଡାଉନ୍ ଆରମ୍ଭ ହୋଇଯିବ । ଏହି ଶଟ୍ଡାଉନ୍ ସୋମବାର ସକାଳ ପର୍ଯ୍ୟନ୍ତ ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସମସ୍ତ ପ୍ରକାର ସେବା ବନ୍ଦ ରହିବ । ଅନ୍ୟପକ୍ଷରେ ଯେଉଁମାନେ ପଶ୍ଚିମବଙ୍ଗରୁ ଫେରୁଛନ୍ତି ବା ଯାଇ ଆସୁଛନ୍ତି ସେମାନେ କ୍ୱାରେଂଟାଇନ୍ ରେ ରହିବେ । ଯେଉଁମାନଙ୍କର ୭୨ ଘଂଟା ପୂର୍ବର ନେଗେଟିଭ୍ ରିପୋର୍ଟ ଥିବ ବା ୨ ଡୋଜ୍ ଟିକା ନେଇଥିବେ, ସେମାନେ ହୋମ୍ କ୍ୱାରେଂଟାଇନ୍ ରେ ରହିବେ । ସେହିପରି ଯେଉଁମାନଙ୍କର ରିପୋର୍ଟ ନଥିବା ବା ଯେଉଁମାନେ ଟିକା ନେଇ ନଥିବେ, ସେମାନେ ଇନ୍ଷ୍ଟିଚ୍ୟୁସନାଲ୍ କ୍ୱାରେଂଟାଇନ୍ ରେ ରହିବେ । ଆଉ ଯେଉଁମାନେ ହୋମ୍ କ୍ୱାରେଂଟାଇନ୍ ନିୟମ ଭାଙ୍ଗିବେ, ସେମାନଙ୍କୁ ଇନ୍ଷ୍ଟିଚ୍ୟୁସନାଲ୍ କ୍ୱାରେଂଟାଇନ୍ ରେ ରଖାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।
ଅନ୍ୟପକ୍ଷରେ ଆଜି ଠାରୁ ରାଜ୍ୟର ସମସ୍ତ ସହରାଂଚଳରେ ଆରମ୍ଭ ହେବ ସପ୍ତାହାନ୍ତ ଶଟ୍ ଡାଉନ୍ । ଉଭୟ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟ୍ ଡାଉନ୍ ସମୟରେ ଭୁବନେଶ୍ୱର – କଟକ ଟ୍ୱିନ୍ ସିଟିରେ କଡାକଡି ଯାଂଚ କରାଯିବ ବୋଲି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ସେ କହିଛନ୍ତି ଯେ ଟ୍ୱିନ୍ ସିଟିର ମୋଟ ୬୮ଟି ପଏଂଟରେ ଯାଂଚ କରାଯିବ । କଟକର ୨୫ ଓ ଭୁବନେଶ୍ୱରର ୪୩ଟି ସ୍ଥାନରେ ଚେକିଂ ପଏଂଟ ରହିବ । କଟକରେ ୧୨ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୦୦ ଅଫିସର ଏବଂ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୫୦ ଅଫିସର ନିୟୋଜିତ ହେବେ । ନାକା ପଏଂଟ ଗୁଡିକରେ ଲୋକମାନଙ୍କୁ ଯାଂଚ କରାଯିବ । ଜରୁରୀ ସେବା ସହ ଜଡିତ ଲୋକମାନଙ୍କ ଯାତାୟତ ସୁବିଧା କରାଯିବ । ଜରୁରୀ ସେବାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ କୌଣସି ପାସ୍ ର ବ୍ୟବସ୍ଥା ନାହିଁ । ନିଜ ରସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇ ସେମାନେ ଯିବା ଆସିବା କରିପାରିବେ । ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ । କଣ ପାଇଁ ବୁଲୁଛନ୍ତି, କାହିଁକି ବାହାରକୁ ବାହାରିଛନ୍ତି ପଚରାଯିବ । ସମସ୍ତଙ୍କୁ କଟକଣା ପାଳନ କରିବାକୁ ପୋଲିସ୍ କମିଶନର ନିବେଦନ କରିବା ସହ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।