‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଶୀର୍ଷକ ୱେବିନାର

ବାଲେଶ୍ୱର : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ବାଲେଶ୍ୱର ଏବଂ କେନ୍ଦୁଝରର ମିଳିତ ଆନୁକୂଲ୍ୟରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପତ୍ର ସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଭୁବନେଶ୍ୱରର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇଥିଲେ । ଅତିଥି ବକ୍ତା ଭାବେ ବାଲେଶ୍ୱର ଆର୍ଟ ଏବଂ କ୍ରାଫ୍ଟସ କଲେଜର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାଶ, ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଥଶାସ୍ତ୍ର ଅଧ୍ୟାପକ ଅମିୟ ସାମନ୍ତରା ଏବଂ ଫକୀରମୋହନ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫସର ଆଣ୍ଡ ହେଡ୍, ପିଜି ଡିପାର୍ଟମେଣ୍ଟ ଅଫ୍ ଏଜୁକେସନ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ ଜୀବନ କୁମାର ସାମନ୍ତସିଂହାର ସଭା ପରିଚାଳନା କରିଥିଲେ । ସୂଚନା ଯେ, ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି (୧୫ ଅଗଷ୍ଟ ୨୦୨୨) ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ବା ସ୍ୱାଧୀନତାର ଅମୃତ ମହୋତ୍ସବ ଗତ ମାର୍ଚ୍ଚ ମାସ ୧୨ ତାରିଖରୁ ଅର୍ଥାତ୍ ୭୫ ବର୍ଷ ପୂର୍ତ୍ତିର ୭୫ ସପ୍ତାହ ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ସାବରମତୀ ଆଶ୍ରମରୁ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମ ୨୦୨୩ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ । ଆମ ଦେଶକୁ ସ୍ୱାଧୀନତା ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସୁବାଷ ଚନ୍ଦ୍ର ବୋଷ, ଡ. ଆମ୍ବେଦକର, ଖୁଦିରାମ ବୋଷ, ଭଗତ ସିଂହ, ରାଜଗୁରୁ, ପଣ୍ଡିତ ଗୋପବନ୍ଧୁ ଦାସ, ଶହୀଦ ଲକ୍ଷଣ ନାଏକ, ବାଜି ରାଉତ, ବୀର ସୁରେନ୍ଦ୍ର ସାଏ, ରମାଦେବୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଭୂମିକା ତଥା ସ୍ୱାଧୀନତାର ଗାଥା ସମ୍ପର୍କରେ ଆଜିକାର କାର୍ଯ୍ୟକ୍ରମରେ ଅତିଥିମାନେ ଆଲୋକପାତ କରିବା ସହିତ ସ୍ୱାଧୀନତାର ଗାଥା ଲୋକମାନଙ୍କ ପାଖରେ ମୁଖ୍ୟତଃ ଛାତ୍ରୀଛାତ୍ର ତଥା ଭବିଷ୍ୟତ ଭାରତବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକବୃନ୍ଦ, ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ତଥା ଜନସାଧାରଣ ଯୋଗଦେଇଥିଲେ । ତା’ ଛଡ଼ା ବିଶେଷ ଭାବେ କେନ୍ଦୁଝର ଏବଂ ବାଲେଶ୍ୱରର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ । ଶେଷରେ ଖଗେଶ ବାଇପାଇ ଧନ୍ୟବାଦ ଦେଇଥିଲେ ।