ହୀରାକୁଦ ଡ୍ୟାମ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ

ସମ୍ବଲପୁର : ଉପର ମୁଣ୍ଡରୁ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଉଛି । ଏହି କାରଣରୁ ରବିବାର ରାତିରେ ହୀରାକୁଦ ଜଳସ୍ତର ପୁଣିଥରେ ୬୦୯ ଫୁଟ୍ ଅତିକ୍ରମ କରିଥିଲା। ଏହାକୁ ଲକ୍ଷ୍ୟ କରି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ସ୍କୁଇସ୍ ଗେଟ୍ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୬ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସିତ ଜାରି ରହିଛି । ଗତ ଶନିବାର ଦିନ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲିଥିଲା । ବାମ ପାର୍ଶ୍ବର ୩ଟି ସ୍ଲୁଇସ୍ ଗେଟ୍ ଖୋଲାଥିବାବେଳେ ଡାହାଣ ପାର୍ଶ୍ବର ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲିଥିଲା । ଏବେ ଆଉ ୨ଟି ସ୍ଲୁଇସ୍ ଗେଟ୍ ଖୋଲିଥିବାରୁ ମୋଟ୍ ୬ଟି ଗେଟ୍ ଦେଇ ଡ୍ୟାମ୍ ମଧ୍ୟରୁ ଜଳ ନିଷ୍କାସିତ ହେଉଛି ।
ସୂଚନା ଯେ, ରବିବାର ରାତି ୯ଟା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୦୨ ଫୁଟ୍ରେ ପହଞ୍ଚିଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୨୬,୭୦୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୮୨,୪୭୦ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍ୱେ’ର ୩ ଓ ଡାହାଣ ପାର୍ଶ୍ବର ଗୋଟିଏ ସ୍ଲୁଇସ୍ ଗେଟ୍ ଦେଇ ୫୯,୧୦୪ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୧୯,୫୩୯ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲକୁ ୨,୯୭୮ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ୍କୁ ୫୦୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୭୭ କ୍ୟୁସେକ୍ ଓ ଶିଳ୍ପସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।