ସପ୍ତାହାନ୍ତ ସଟଡାଉନ ଯୋଗୁଁ ମେ ୧ ଓ ୨ରେ ଟିକାକରଣ ବନ୍ଦ
ଭୁବନେଶ୍ୱର : ମେ ୧ରୁ ସାରା ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବର୍ଗର ଲୋକମାନଙ୍କ ଟିକାକରଣ ଆରମ୍ଭ ହେଉଥିବାବେଳେ ଓଡ଼ିଶାରେ ସପ୍ତାହାନ୍ତ ସଟଡାଉନ ଯୋଗୁଁ ଟିକାକରଣ ହେବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦିପ୍ତ ମହାପାତ୍ର କହିଛନ୍ତି ।
କରୋନା ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟରେ ୧.୯୨ କୋଟି ଲୋକ ଟିକା ନେବେ । ଟିକା ପାଇଁ ଦୁଇ କମ୍ପାନି ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ସହ ଯୋଗାଯୋଗ କରାଯାଉଛି । ତେବେ ଟିକା କେବେ ଆସିବ ଜଣାପଡ଼ିନାହିଁ । ଟିକା ଆସିଲେ ହିଁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଦୁଇ କମ୍ପାନି ଟିକା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତା ପୂର୍ବରୁ ସମସ୍ତେ ପଂଜୀକରଣ କରନ୍ତୁ । ଟିକା ପହଞ୍ଚିବା ପରେ ଟିକାକରଣ ସମ୍ପର୍କରେ ଜଣାଇଦିଆଯିବ । ଅନ୍ୟପକ୍ଷରେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୫୭.୭୬ ଲକ୍ଷ ଡୋଜ ଦିଆଯାଇଛି । ଆମ ରାଜ୍ୟରେ ଟିକା ଅପଚୟ ପରିମାଣ ବିଯୁକ୍ତ ୨.୭ ପ୍ରତିଶତ । ପ୍ରତ୍ୟେକ ଜିଲ୍ଲାରେ ୨ୟ ଡୋଜ୍ ନେବାକୁ ଥିବା ଲୋକମାନଙ୍କୁ ପ୍ରାଥମିକତା ଦିଆଯାଉଛି । କାରଣ ଉପଯୁକ୍ତ ସମୟରେ ୨ୟ ଡୋଜ ନଦେଲେ ପ୍ରଥମ ଡୋଜଟି ବେକାର ହୋଇଯିବ । ଏଣୁ ସେମାନଙ୍କୁ ଆଗ ସୁଯୋଗ ଦେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।