ଭାରତରେ ୧ ଲକ୍ଷ ନୂଆ କର୍ମଚାରୀ ନିଯୁକ୍ତ କରିବ ଆମେରିକାନ୍ ଆଇଟି କମ୍ପାନୀ

ନୂଆଦିଲ୍ଲୀ : ମହାମାରୀ କରୋନା ସମୟରେ ଅନେକ ଲୋକ ଚାକିରୀ ହରାଇ ଏବେ ଘରେ ବସିଥିବା ବେଳେ ଆଉ କିଛି ଯୁବକ ସନ୍ଧାନରେ ଲାଗିଛନ୍ତି । ଏହାରି ଭିତରେ ପେଶି ହୋଇଯାଉଛନ୍ତି ଫ୍ରେସର୍ ବା ଏବେ ଗ୍ରାଜୁଏଟ୍ ହେଉଥିବା ଯୁବକ-ଯୁବତୀ । ସେମାନଙ୍କ ପାଇଁ ନା ବାହାରୁଛି ଆବଶ୍ୟକ ପରିମାଣର ସରକାରୀ ପଦବୀ ନା ମିଳି ପାରୁଛି ବେସରକାରୀ ଚାକିରୀ । ଏଥିପାଇଁ କିଛି ପରିବାର ଏବେ ଜୀବନ ଜିଇବା ପାଇଁ ସଂଘର୍ଷ କରୁଛନ୍ତି । ଏହାରି ଭିତରେ ଆମେରିକାର ଏକ ସୂଚନା ଓ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଭାରତରେ ୧ ଲକ୍ଷ ନୂଆ ନିଯୁକ୍ତି କରିବାକୁ ଘୋଷଣା କରିଛି ।
ଆମେରିକାର ଆଇଟି କମ୍ପାନୀ କଗ୍ନିଜାଣ୍ଟ୍ ଏହାର ଦ୍ୱିତୀୟ କ୍ୱାର୍ଟରର ଲାଭରେ ୪୧.୮ ପ୍ରତିଶତ ବୃଦ୍ଧି କରିଛି । ଫଳରେ ଜୁନ୍ କ୍ୱାର୍ଟରରେ ଏହାର ମୋଟ ଲାଭ ୫୧୨ ମିଲିୟନ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ୩,୮୦୧.୭ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୧ ଆର୍ଥିକ ବର୍ଷରେ ଏହି କମ୍ପାନୀର ଗ୍ରୋଥ୍ ରେଟ୍ ୯ରୁ ୧୦ ପ୍ରତିଶତ ରହିଛି । ଏହା ଆଗକୁ ଆହୁରି ଅଧିକ ହେବ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି । ଏହି ସଫଳତା ପରେ କମ୍ପାନୀ ଭାରତରେ ବ୍ୟବସାୟିକ ସଂପ୍ରସାରଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । କମ୍ପାନୀର ମ୍ୟାନେଜ୍ମେଣ୍ଟ୍ ସ୍ତରରେ ଏନେଇ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ଏଥିପାଇଁ କମ୍ପାନୀ ୧ ଲକ୍ଷ ନୂଆ ନିଯୁକ୍ତି କରିବ । ଚଳିତ ବର୍ଷ କମ୍ପାନୀ ତରଫରୁ ୩୦ ହଜାର ନୂଆ ଗ୍ରାଜୁଏଟ୍ ନିଯୁକ୍ତ ହେବାକୁ ଥିବା ବେଳେ ୨୦୨୨ରେ ୪୫ ହଜାର ଫ୍ରେସର୍ଙ୍କୁ ନିଯୁକ୍ତି କରାଯିବ । ବର୍ତ୍ତମାନ ଭାରତରେ ଏହାର ୨ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି ।