ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

- ଜନ୍ମବେଦୀ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ
ପୁରୀ : ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ। ଶୃଙ୍ଖଳିତ ରଥଯାତ୍ରା ଲାଗି କଡ଼ା ସୁରକ୍ଷାବଳୟରେ ପୁରୀ। ରବିବାର ରାତି ୮ଟାଠାରୁ ୪୮ଘଣ୍ଟା ଲାଗି ପୁରୀରେ କର୍ଫ୍ୟୁ ଜାରି ହେବ। ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁ ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ କଟକଣା ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ମହାପ୍ରଭୁଙ୍କ ଉଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅତିରିକ୍ତ ଡିଜି। ଏଥିପାଇଁ ଜିଲାପାଳ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ବଡ଼ଦାଣ୍ଡରେ ଥିବା ଲଜ୍, ହୋଟେଲ ସବୁକୁ ତତ୍କାଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହର ଭିତରକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଗାଡ଼ି ଚଳାଚଳରେ କଟକଣା ଲଗାଯାଇଛି।
ଜିଲାପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପୁରୀ ସହରରେ ଜୁଲାଇ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ଏହି ସମୟରେ ପୁରୀ ସହରରେ ଜନସାଧାରଣଙ୍କ ଚଳପ୍ରଚଳ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଶେଷ କରି ବଡ଼ଦାଣ୍ଡ ଉପରେ କଡ଼ା ନଜର ରହିବ। ବଡ଼ଦାଣ୍ଡ ସଂଲଗ୍ନ ଘରେ ରହୁଥିବା ଲୋକେ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟ କୌଣସି ଗାଡ଼ି ବଡ଼ଦାଣ୍ଡରେ ଗଡ଼ି ପାରିବନି। ବଡ଼ଦାଣ୍ଡରେ ଯେଉଁ ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସ୍ ସବୁ ରହିଛି, ସେ ସବୁର ବୁକିଂ ବାତିଲ୍ କରାଯାଇଛି। ଜୁଲାଇ ୧୦ ତାରିଖ ସୁଦ୍ଧା ଏସବୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରେ କେବଳ ଜରୁରୀକାଳୀନ ସେବା ଦେଉଥିବା ସରକାରୀ କାର୍ଯ୍ୟାଳୟକୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟାଳୟ ସହ ଏପରିକି ବଡ଼ଦାଣ୍ଡରେ ଥିବା ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ଏପରିକି ଔଷଧ ଦୋକାନ, ବ୍ୟାଙ୍କ୍ ପ୍ରଭୃତି ମଧ୍ୟ ବନ୍ଦ ରହିବ। ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ। ଏଥିପାଇଁ ଜିଲ୍ଲାର ୮ଟି ଜାଗାରେ ନାକାବନ୍ଦୀ ବି ଆରମ୍ଭ ହୋଇଛି। ଏହାବାଦ୍ ପୁରୀ ସହରର ତିନି ପ୍ରମୁଖ ପ୍ରବେଶ ପଥ ବାଟଗାଁ ଛକ, ମଙ୍ଗଳାଘାଟ ଛକ ଓ ଗ୍ରିଡ୍ ଷ୍ଟେସନ୍ ଛକ ସିଲ୍ କରାଯିବ। ଉପରୋକ୍ତ ତିନି ଦିନ ବାହାର ଲୋକଙ୍କୁ ସହରକୁ ପ୍ରବେଶରେ କଟକଣା ଲଗାଯାଇଛି। ହୋମ୍ ଡେଲିଭରି ସେବା କିନ୍ତୁ ଜାରି ରହିବ। ରଥଯାତ୍ରାରେ ସହର ଭିତରେ ଥିବା ଜରୁରୀକାଳୀନ ସେବାରେ ନିୟୋଜିତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛାଡ଼ିଦେଲେ ବାକି ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। କର୍ଫ୍ୟୁ ଅଞ୍ଚଳକୁ ଛାଡ଼ି ସହରର ଅନ୍ୟ ଅଞ୍ଚଳରେ ଔଷଧ ଦୋକାନ ଖୋଲା ରହିବ। ପୁରୀ ସହରକୁ ଛାଡ଼ିଦେଲେ ଜିଲ୍ଲାର ବାକି ସ୍ଥାନରେ ଏହି କଟକଣା ଲାଗୁ ହେବ ନାହିଁ। କିନ୍ତୁ ସେଠାରେ ଏସ୍ଆର୍ସିଙ୍କ ପକ୍ଷରୁ ଜାରି କୋଭିଡ୍ ମାର୍ଗଦର୍ଶିକା ପାଳନ କରାଯିବ।