ଆଜିଠୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ୧୪୪ ଧାରା ଜାରି

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଆଜିଠୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀ ଠାରେ ଶୁଭାରମ୍ଭ ହେବ । ଏହି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପୀ ଚାଲିବ । ସେହିପରି ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ଶ୍ରୀଜୀଉ । ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଶ୍ରୀ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମସ୍ତ ପ୍ରକାର ଭିଡ ଏଡାଇବା ପାଇଁ ସିଂହଦ୍ୱାରା ଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ୨୧ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୂ ସୂଚନା ଦିଆଯାଇଛି ।
ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ଯାଇ ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଗୃହରେ ବିଜେ କରିବେ । ପରେ ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ । ମଦନମୋହନଙ୍କ ସହ ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଚଂ ମହାଦେବ ଚନ୍ଦନ ଚକଡ଼ାରେ ବିଜେ କରିବେ । ପ୍ରଶାସନର କୋଭିଡ଼୍ କଟକଣା ପାଇଁ ମାତ୍ର ୫୦ ରୁ ୬୫ ଜଣ ସେବାୟତ ଏହି ନୀତିକାନ୍ତିରେ ନିୟୋଜିତ ହେବେ । ନନ୍ଦା ଓ ଭଦ୍ରା ନୌକାରେ ମହାପ୍ରଭୁ ଦିନ ଓ ରାତି ଚାପ ଖେଳିବେ । ଅନ୍ୟ ସମୟରେ ଚନ୍ଦନ ଗୃହରେ ଥିବା ଚନ୍ଦନ କୁଣ୍ଡରେ ଅବସ୍ଥାନ କରିବେ । ଚାପ ପାଇଁ ନୌକା, ଚନ୍ଦନ ଗୃହକୁ ସଜ୍ଜିତ କରାଯାଇଛି । ଏଥର ବିନା ଭକ୍ତରେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।ଅନ୍ୟପଟେ ଚନ୍ଦନ ଯାତ୍ରାରେ ସାମିଲ ହୋଇଥିବା ସେବାୟତ ମାନଙ୍କର ପୂର୍ବରୁ କରୋନା ଟେଷ୍ଟ କରାଯାଇଛି । କୋଭିଡ୍ ନେଗେଟିଭ୍ ଥିବା ସେବାୟତ ମାନଙ୍କ ଦ୍ୱାରା ହିଁ କେବଳ ନୀତିକାନ୍ତି ବଜାୟ ରଖିବା ପାଇଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଛି । ପୂର୍ବ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ମନ୍ଦିର ଭିତରେ ହିଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା ମାତ୍ର ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ ଚନ୍ଦନ ଯାତ୍ରାକୁ ଅନୁମତି ମିଳିଛି କିନ୍ତୁ ସମସ୍ତ କୋଭିଡ୍ ନିୟମର କଡା କଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ରହିଛି । ଶ୍ରୀଜୀଉଙ୍କ ଏହି ୨୧ ଦିନିଆ ଚନ୍ଦନ ଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ର ସମୟ ଚୂଡାନ୍ତ ହୋଇଛି । ପୂର୍ବ ନିର୍ଦ୍ଧାରିତ ଅନୁଯାଇ ସମସ୍ତ ନୀତି ସମ୍ପାଦନ କରାଯିବ । ତେବେ ଆଜି ଅପରାହ୍ନ ସମୟରେ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।