ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ଶୁଭାରମ୍ଭ ହେବ ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ : ଶୁକ୍ରବାର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ । ଏଥି ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି । ପୂଜାର୍ଚ୍ଚନା ପାଇଁ ଚାଳି ନିର୍ମାଣ ସହ ଚାରିପଟକୁ ବ୍ୟାରିକେଟ କରାଯାଇଛି । ଶ୍ରୀମନ୍ଦିରରୁ ମଦନମୋହନ ମଣି ବିମାନରେ ବିଜେ କରିବା ସମୟରେ ମହାପ୍ରଭୁଙ୍କ ତିନୋଟି ଆଜ୍ଞାମାଳ ରଥ ଖଳା ନିକଟରେ ତିନି ରଥର ତିନି ମୁଖ୍ୟ ମହାରଣାଙ୍କୁ ସେବକ ମାନେ ପ୍ରଦାନ କରିବେ । ପରେ ପରେ ଶ୍ରୋତିୟ ବ୍ରାହ୍ମଣ ମାନେ ପଚଂବିଧି ଉପଚାରରେ ତିନି ରଥ କାଠକୁ ପୂଜାର୍ଚ୍ଚନା କରିବେ । ପୂଜାର୍ଚ୍ଚନା ପରେ ତିନି ରଥର ମହାରଣା ସୁନା ଓ ରୂପା କୁରାଢ଼ୀରେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବେ । ଅକ୍ଷୟ ତୃତୀୟ ପରଦିନ ରଥ ଖଳାରେ ରଥ ନିର୍ମାଣରେ ବିଶ୍ୱକର୍ମା ମହାରଣା ମାନେ ନିୟୋଜିତ ହେବେ । କୋଭିଡ଼୍ କଟକଣାକୁ ଅନୁପାଳନ କରି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।