ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

- ଧାଓ୍ୱନଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
କଲୋମ୍ବୋ : ଭାରତୀୟ କ୍ରିକେଟ୍ ଦଳର ଶ୍ରୀଲଙ୍କା ଗସ୍ତ ଜୁଲାଇ ୧୮ରୁ ଦିନିକିଆ ସିରିଜ୍ ସହ ଆରମ୍ଭ ହେବ । ରବିବାର ଉଭୟ ଦଳ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍କୁ ଆୟୋଜକ ଶ୍ରୀଲଙ୍କା ସହିତ ହେବ । କଲୋମ୍ବୋ ସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ରବିବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ହେବ । ପ୍ରଥମେ ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧୩ ଜୁଲାଇରୁ ଆରମ୍ଭ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା କ୍ୟାମ୍ପରେ କରୋନା ପଶିବାରୁ ୫ ଦିନ ବିଳମ୍ବରେ ଅର୍ଥାତ ଜୁଲାଇ ୧୮ରୁ ଏହା ଆରମ୍ଭ ହେବ। ଶ୍ରୀଲଙ୍କାର ଆର. ପ୍ରେମାଦାସା ଷ୍ଟାଡିୟମରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଭାରତ ଏହି ଗସ୍ତରେ ଶ୍ରୀଲଙ୍କା ସହ ପ୍ରଥମେ ୩ଟି ଦିନିକିଆ ଓ ପରେ ଆଉ ୩ଟି ଟି-୨୦ ମ୍ୟାଚ୍ ଖେଳିବ ।
ବିରାଟ କୋହଲିଙ୍କ ଦଳ ଇଂଲଣ୍ଡରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି । ଭାରତୀୟ ଦଳରେ ଷ୍ଟାର୍ ଖେଳାଳି ନଥିଲେ ହେଁ ଆଜି ବିଜୟ ସମ୍ଭାବନା ଅଧିକ ରହିଛି । କାରଣ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳ ବେଶ୍ ସନ୍ତୁଳିତ । ଯୁବ ଖେଳାଳିମାନେ ଫର୍ମରେ ରହିଛନ୍ତି । ୨୦୧୨ ଜୁଲାଇ ୨୪ତାରିଖ ପରଠୁ ଭାରତୀୟ ଦଳ ଶ୍ରୀଲଙ୍କାରେ କୌଣସି ଦିନିକିଆ ପରାଜିତ ହୋଇନାହିଁ । ଅନ୍ୟ ପଟରେ ପାଉଣାକୁ ନେଇ ଶ୍ରୀଲଙ୍କା ଖେଳାଳି ଓ ବୋର୍ଡ ମଧ୍ୟରେ ବିବାଦ ଥମି ନାହିଁ । ସିନିୟର ଖେଳାଳିମାନେ ଫର୍ମରେ ନଥିବାରୁ ଦଳ ଅସନ୍ତୁଳିତ ମନେ ହେଉଛି । ତଥାପି ଘରୋଇ ଗ୍ରାଉଣ୍ଡ୍ର ଫାଇଦା ଉଠାଇ ଶ୍ରୀଲଙ୍କା ବିଜୟ ପାଇଁ ସବୁ ଶକ୍ତି ଖଟାଇବ । ପ୍ରେମଦାସା ଷ୍ଟାଡିୟମ୍ର ପିଚ୍ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ତେଣୁ ଆଜି ବଡ ସ୍କୋର ହେବା ଆଶା କରାଯାଉଛି । ଦିବା-ରାତ୍ର ମ୍ୟାଚ୍ ହୋଇଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ଆଜି ଅଧିନାୟକ ଧାୱନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ଆଉ ୨୩ ରନ୍ କଲେ ଦିନିକିଆ କ୍ରିକେଟ୍ରେ ୬୦୦୦ ରନ୍ ପୂରଣ କରିବେ । ଧାୱନଙ୍କ ସହ ପୃଥ୍ୱୀ ଶ’ ଭାରତ ପକ୍ଷରୁ ପାଳି ଆରମ୍ଭ କରିବା ନିଶ୍ଚିତ । ଫଳରେ ଦେବଦତ୍ତ ପାଡ଼ିକଲଙ୍କୁ ଏକାଦଶରେ ସ୍ଥାନ ମିଳିବ ନାହିଁ ।
ସମ୍ଭାବ୍ୟ ଭାରତୀୟ ଦଳ: ଶିଖର ଧାୱନ(ଅଧିନାୟକ), ପୃଥ୍ୱୀ ଶ’, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ନବଦୀପ ସାଇନି/ଦୀପକ ଚହର, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ/ରାହୁଲ ଚହର, ୟୁଝବେନ୍ଦ୍ର ଚହର ।
ସମ୍ଭାବ୍ୟ ଶ୍ରୀଲଙ୍କା ଦଳ: ଅଭିସ୍କା ଫର୍ଣ୍ଣାଣ୍ଡୋ, ପଥୁମ ନିଶଙ୍କା, ମିନୋଦ ଭାନୁକା, ଧନଞ୍ଜୟ ଡି ସିଲଭା, ଭାନୁକା ରାଜାପାକ୍ସ, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହାସାରାଙ୍ଗା, ଇସୁରୁ ଉଦାନା, ଲକସନ ସନ୍ଦକନ, ଦୁଷ୍ମନ୍ତ ଚାମୀରା, କାସୁନ ରଜିଥା ।