ଆଜି ପବିତ୍ର ଇଦ୍
- ଘରେ ନମାଜ ପାଠ ସହ ଭର୍ଚୁଆଲରେ ପରସ୍ପରକୁ ଶୁଭେଚ୍ଛା
ନୂଆଦିଲ୍ଲୀ : ଆଜି ପବିତ୍ର ଇଦ୍ । ମହାମାରୀ ପାଇଁ ଫିକା ପଡିଛି ମାହୋଲ । କରୋନା ଭାଇରସ ଓ ଲକଡାଉନ କଟକଣା ଯୋଗୁଁ ପର୍ବ ପାଳନ ଫିକା ପଡିଛି । ମସଜିଦରେ ସାମୂହିକ ନମାଜ ପାଠରେ ବାରଣ ଲାଗିଛି । କୋଭିଡ ଗାଇଡଲାଇନ ସହ ସାମାଜିକ ଦୂରତା ମାନିବାକୁ ସମସ୍ତଙ୍କୁ ମୌଲାନାମାନେ ଅନୁରୋଧ କରିଛନ୍ତି । ଦେଶ ତଥା ବିଶ୍ୱରେ ବିଭିନ୍ନ ପ୍ରାନ୍ତର ଲୋକମାନେ ଏହି ପର୍ବ ପାଳନ କରୁଛନ୍ତି । ଅଳ୍ପ କିଛି ଲୋକ ନମାଜ ପାଠ କରିପାରିବେ ବୋଲି କୁହାଯାଇଛି । ତେବେ ଇଦ୍ ପାଇଁ ମସଜିଦଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜାଯାଏ । ମୁସଲିମ୍ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ନମାଜ ପାଠ କରନ୍ତି କିନ୍ତୁ କରୋନା କଟକଣା ପାଇଁ ମସଜିଦ୍ ଆସିବା ଉପରେ ରୋକ ଲାଗିଛି । ଶ୍ରଦ୍ଧାଳୁମାନେ ନିଜ ଘରେ ନମାଜ ପାଠ କରିବା ସହ ଭର୍ଚୁଆଲରେ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ।
ଶାହି ଇମାମ ମୌଲାନା ମୁଫତି ମୁକରାମ କହିଛନ୍ତି ଯେ ଶାୱାଲଙ୍କ ପ୍ରଥମ ତାରିଖ (ଇସଲାମିକ କ୍ୟାଲେଣ୍ଡରର ଦଶମ ମାସ) ଶୁକ୍ରବାର ପଡିଥିଲେ ଇଦ୍ ପାଳନ ହୋଇଥାଏ । ଇଦ୍ ହେଉଛି ସୁଖର ପର୍ବ । ଇଦ୍ ପର୍ବ ପବିତ୍ର ରମଜାନ ମାସର ସମାପ୍ତିକୁ ଚିହ୍ନିତ କରେ । ସମଗ୍ର ବିଶ୍ୱରେ ଇଦ୍ ପାଳନ କରାଯାଏ । ଏହି ଦିନ ଲୋକମାନେ ପରସ୍ପରକୁ ଇଦ୍ ମୁବାରକ କୁହନ୍ତି ଏବଂ ପରସ୍ପର ପାଇଁ ପ୍ରାର୍ଥନା କରନ୍ତି । ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ଇଦରେ ରହିଛି କରୋନାର ଛାୟା । ତେଣୁ ଏହାକୁ ବିଶେଷ ସତର୍କତାର ସହିତ ପାଳନ କରିବାକୁ କୁହାଯାଉଛି। ସୋସିଆଲ ମିଡିଆ ଏବଂ କଲ୍ ମାଧ୍ୟମରେ ଲୋକମାନେ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ଆଜି ସମଗ୍ର ରାଜ୍ୟରେ ଆନନ୍ଦ ଉତ୍ସାହର ସହିତ ଇଦ୍ ପର୍ବ ପାଳନ କରାଯାଉଛି। ଅତ୍ୟନ୍ତ ନିଷ୍ଠାର ସହିତ ମୁସଲମାନ ସଂପ୍ରଦାୟର ଭାଇ ଭଉଣୀ ରମ୍ଜାନ ମାସ ପାଳନ କରିବା ପରେ ଆଜି ଇଦ୍ ପାଳିତ ହେଉଛି। ଦେଶରେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଆଜି ଇଦ୍ ପର୍ବ ପାଳନ କରାଯାଉଛି। ତେବେ ଗତକାଲି ଜାମ୍ମୁ କାଶ୍ମୀର ଏବଂ କେରଳରେ ଏହି ପର୍ବ ପାଳିତ ହୋଇଯାଇଛି। କରୋନା ସଂକ୍ରମଣ ଏବଂ ଜାରି କଟକଣା ପରିପ୍ରେକ୍ଷୀରେ ମସଜିଦଗୁଡିକରେ ସମୂହ ନମାଜ ପାଠ ପାଇଁ ସମବେତ ନହେବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ମସଜିଦ ମଧ୍ୟକୁ ଯାଇ ନମାଜ ପାଠ ପାଇଁ ଅନୁମତି ଦିଆଯାଇଥିବାବେଳେ ଅନ୍ୟମାନେ ନିଜ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଛି। ଆଜି ଶୁକ୍ରବାରରେ ଇଦ୍ ପଡୁଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁମାନେ ଅଧିକ ଉତ୍ସାହିତ ଥିବାବେଳେ କରୋନା ସଂକ୍ରମଣ ଓ କଟକଣା ସେଥିରେ ବାଧକ ହୋଇଛି। ଏହି ଅବସରରେ ମୁସଲମାନ ଭାଇ ଭଉଣୀମାନେ ନିଜ ପ୍ରିୟ ପରିଜନ ଏବଂ ବନ୍ଧୁବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ତେବେ ଇଦ୍ ଅବସରରେ ଆଜି ସକାଳୁ ମୁସଲିମ୍ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ନମାଜପାଠ କରିବା ପରେ ସମସ୍ତେ ସମସ୍ତଙ୍କୁ ଇଦ୍ ମୁବାରକ୍ ଜଣାଇଛନ୍ତି । ଏହା ପରେ ଛୋଟମାନେ ବଡ଼ମାନଙ୍କ ଠାରୁ ଇଦି ନେଇଥାନ୍ତି । ଇଦି ଆକାରରେ ଚକଲେଟ, ଗିଫ୍ଟ ଦିଆଯାଏ । ଏହା ପରେ ସମସ୍ତେ ପର୍ବର ମୁଖ୍ୟ ଖାଦ୍ୟ ଲଚ୍ଛା ଆଉ ବିରିୟାନି ଖାଇ ପରସ୍ପର ସହ ଖୁସି ବଣ୍ଟିଥାନ୍ତି । ଦୀର୍ଘ ୧ ମାସ ଧରି ମୁସଲମାନ ଭାଇଭଉଣୀମାନେ ଧର୍ମ ମାସ ରମଜାନରେ ଉପବାସ ପାଳିଥାନ୍ତି । ଗତକାଲି ଚାନ୍ଦ ଦେଖିଲା ପରେ ସେମାନେ ନିଜର ଉପବାସ ଭାଙ୍ଗିଥିଲେ । ଇଦ୍ ର ବିଶେଷତ୍ୱ ଏହା ଯେ, ଇସଲାମ ଧର୍ମର ସବୁଠାରୁ ମହତ୍ୱପୂର୍ଣ୍ଣ ପର୍ବ ଭାବେ ପାଳନ ହୁଏ ଇଦ୍ । ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ନୂଆ ମାସକୁ ପବିତ୍ର ରମଜାନ୍ ମାସ ରୂପେ ପାଳନ କରାଯାଇଥାଏ । ଏହି ମାସରେ ପୁରା ଦିନ କିଛି ନଖାଇ ସଧ୍ୟାରେ ନମାଜପାଠ କରିବା ପରେ ରୋଜା ଖୋଲିଥାନ୍ତି । ଗୋଟେ ମାସ ପୂରା ହେବା ପରେ ଯେଉଁ ଚନ୍ଦ୍ର ସମୂର୍ଣ୍ଣ ନଜର ଆସିଥାନ୍ତି, ତାହାକୁ ଇଦ୍ ଚାନ୍ଦ କୁହାଯାଏ । ଏହି ଚାନ୍ଦକୁ ଦେଖିଲା ପରେ ମୁସଲମାନ ସମ୍ପଦ୍ରାୟର ଲୋକମାନେ ଉପବାସ ଭଙ୍ଗ କରିଥାନ୍ତି । ଇସଲାମ ଧର୍ମର ପବିତ୍ର ଗ୍ରସ୍ଥ କୁରାନ ଶରୀଫ ଅନୁଯାୟୀ ରମଜାନର ପୁରା ମାସରେ ରୋଜା ରଖିବା ପରେ ଅଲ୍ଲା ତାଙ୍କ ଭକ୍ତମାନଙ୍କୁ ଗୋଟିଏ ଦିନ ଉତ୍ସବ ପାଳନ କରିବା ପାଇଁ ଦେଇଥାନ୍ତି । ଏହି ମାସରେ ଲୋକମାନେ ଗରିବ ଲୋକମାନଙ୍କୁ କିଛି ଜିନିଷ ଦାନ କରିଥାନ୍ତି । ମୁସଲମାନ ଶ୍ରଦ୍ଧାଳୁମାନେ ରମଜାନ୍ ମାସର ଶେଷ ରୋଜା ରଖିବା ସହ ସନ୍ଧ୍ୟାରେ ଚାନ୍ଦ ଦେଖି ରୋଜା ଭାଙ୍ଗିଥିଲେ । ମାସ ସାରା ସେମାନେ ସୂର୍ଯ୍ୟୋଦୟ ପୂର୍ବରୁ ରୋଜା ରଖିବା ସହିତ ଦିନସାରା ଉପବାସ କରୁଥିଲେ । ସନ୍ଧ୍ୟାରେ ରୋଜା ଭାଙ୍ଗି ଇଫତାରୀ କରିଥାନ୍ତି । ଏବେ ଘରେ ଇଦ୍ ପାଳନର ଘୋଷଣା ହୋଇଥିବାରୁ ସମ୍ପ୍ରଦାୟ ମଧ୍ୟରେ ଉତ୍ସବର ମାହୋଲ୍ ଖେଳିଯାଇଛି । ଘରେ ରହି ମୁସଲମାନ ଶ୍ରଦ୍ଧାଳୁମାନେ ଇଦ୍ ପାଳୁଛନ୍ତି ।