ଆଜି ୧୪ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
- ୧୫୩୭ କୋଟି ନିବେଶ ସମ୍ବଳିତ ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ୩,୭୭୩ ନିଯୁକ୍ତି ସୃଷ୍ଟି ହେବ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟରେ ଆଉ ୧୪ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ । ଏଥିମଧ୍ୟରୁ ୩ଟି ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଏବଂ ୧୧ଟିର ଶିଳାନ୍ୟାସ ହେବ । ୧୫୩୭ କୋଟି ନିବେଶ ସମ୍ବଳିତ ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ୩,୭୭୩ ନିଯୁକ୍ତି ସୃଷ୍ଟି ହେବ ।
ସୂଚନା ଯେ, ବଲାଙ୍ଗିର, ଝାରସୁଗୁଡା, ଖୋର୍ଦ୍ଧା, ସୁନ୍ଦରଗଡ, ଜଗତସିଂହପୁର ଏବଂ କଟକ ଆଦି ୬ଟି ସ୍ଥାନରେ ଏହି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ଶିଳାନ୍ୟାସ ହେବ । ୫୦ କୋଟି ଟଙ୍କା ନିବେଶରେ ୱାଇଲ୍ଡ ଲୋଟସ୍ ଫ୍ୟାସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ଏକଗାର୍ମେଣ୍ଟ ୟୁନିଟ୍କୁ ଖୋର୍ଦ୍ଧାରେ ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା ମାଧ୍ୟମରେ ୭୦୦ ମହିଳାଙ୍କୁ ନିଯୁକ୍ତି ମିଳିବ । ବଲାଙ୍ଗୀରରେ ଆଦିତ୍ୟ ବିର୍ଲା ରିନ୍ୱେବଲ୍ସର ଏକ ୨୫ ମେଗାୱାଟ ସୌର ପ୍ଲାଣ୍ଟ ଉଦ୍ଘାଟନ କାର୍ଯ୍ୟକ୍ରମ ଏଜେଣ୍ଡାରେ ଅଛି । ଝାର୍ସୁଗୁଡାରେ ରୁନାୟା ରିଫାଇନିଂ ଏଲ୍ଏଲ୍ପିର ଏକ ପ୍ରକଳ୍ପ ଉଦ୍ଘାଟନ କରାଯିବ । ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ କଟକରେ ଅର୍ଣ୍ଣବ କେୟାର ଆଣ୍ଡ୍ ଫୁଡ୍ର ଏକ ପ୍ରକଳ୍ପ, ଆଷ୍ଟ୍ରାଲ ପଲିଟେକ୍ନିକ୍ ଲିମିଟେଡ୍(ୟୁନିଟ୍ ୨), ଖୋର୍ଦ୍ଧା ଫୁଡ୍ ପାର୍କରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ର ଏକ ସମ୍ପ୍ରସାରିତ ୟୁନିଟ୍, ଜଗତ୍ସିଂହପୁରରେ ଇଫ୍କୋର ଏକ ପ୍ରକଳ୍ପ, କଟକରେ ଜୟ ଭାରତ ସ୍ପାଇସେସ୍ର ଏକ ପ୍ରକଳ୍ପ, ସୁନ୍ଦରଗଡରେ କେଏଆଇ ଇଣ୍ଟରନ୍ୟାସ୍ନାଲର ଏକ ପ୍ରକଳ୍ପ, ଖୋର୍ଦ୍ଧାରେ ନିରେନ କୁମାର ଆନନ୍ଦଙ୍କ ଏକ ପ୍ରକଳ୍ପ, କଟକରେ ପ୍ରତିଷ୍ଠା ଭେଞ୍ଚର୍ସର ଏକ ପ୍ରକଳ୍ପ, ଖୋର୍ଦ୍ଧାରେ ପ୍ରିଣ୍ଟେକ୍ ଅଫ୍ସେଟ୍ର ଏକ ପ୍ରକଳ୍ପ, କଟକରେ ରିନ୍ୟୁଆଲ ଏନ୍ଭର୍ଜିକର ଗୋଟିଏ ଏବଂ ସୁପ୍ରିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଏକ ପ୍ରକଳ୍ପ ରହିଛି ।