ଦେଶରେ ଆଉ ୫୦,୦୪୦ କରୋନା ସଂକ୍ରମିତ ଚିହ୍ନଟ ଓ ୧,୨୫୮ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଏବେ ୧ ଲକ୍ଷ ତଳକୁ ଖସିଛି । ଏହାରି ଭିତରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୨ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୩୨,୧୭,୬୦,୦୭୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
ରବିବାର ଗତ ୨୪ଘଣ୍ଟାରେ ୫୦ହଜାର ୦୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ହଜାର ୨୫୮ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୫୭ହଜାର ୯୪୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୦୨ଲକ୍ଷ ୩୩ହଜାର ୧୮୩ କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୯୫ହଜାର ୭୫୧ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୯୨ଲକ୍ଷ ୫୧ହଜାର ୦୨୯ଜଣ ସୁସ୍ଥ ହୋଇଥିବା ବେଳେ ୫ଲକ୍ଷ ୮୬ହଜାର ୪୦୩ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।