ରେକର୍ଡ ଭାଙ୍ଗୁଛି କରୋନା : ଆଉ ୧,୬୧,୭୩୬ ସଂକ୍ରମିତ ଓ ୮୭୯ ମୃତ
ନୂଆଦିଲ୍ଲୀ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଏଥିସହିତ ଦୈନିକ କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ୱରେ ୧ ନମ୍ବରରେ ପହଞ୍ଚିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ କଠୋର ପଦକ୍ଷେପ ନିଆଯାଉଛି। ଅନ୍ୟପଟେ କରୋନା ଟିକାକରଣ ଚାଲିଥିବା ସତ୍ତ୍ୱେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୭ କୋଟି ୫୯ ଲକ୍ଷ ୭୯ ହଜାର ୬୫୧ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ୮ଟି ରାଜ୍ୟରେ ୮୧.୪୨% କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ସମେତ ୫ଟି ରାଜ୍ୟରେ ୮୬% ମୃତକ ରହିଛନ୍ତି ।
ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ଘଣ୍ଟାରେ ୧ଲକ୍ଷ ୬୧ହଜାର ୭୩୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୭୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ଆଉ ୯୭ହଜାର ୧୬୮ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୩୬ଲକ୍ଷ ୮୯ହଜାର ୪୫୩କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୧ହଜାର ୫୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ୧କୋଟି ୨୨ଲକ୍ଷ ୫୩ହଜାର ୬୯୭ଜଣ ସୁସ୍ଥ ହୋଇଥିବା ବେଳେ ୧୨ଲକ୍ଷ ୬୪ହଜାର ୬୮୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।