ଦେଶରେ ଆଉ ୪୩,୨୬୩ କରୋନା ସଂକ୍ରମିତ ଚିହ୍ନଟ ଓ ୩୩୮ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ମୃତ୍ୟୁ ସଂଖ୍ୟା ୩ ଶହରୁ ଅଧିକ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ଦେଶରେ ସଂପ୍ରତି ଦୈନିକ ସଂକ୍ରମଣ ହାର ୨.୩୮% ଓ ସାପ୍ତାହିକ ହାର ୨.୪୩% ରହିଛି। ଦେଶରେ କରୋନାରୁ ମୋଟ ୩,୩୨,୦୪,୬୧୮ ଜଣ ସୁସ୍ଥ ହୋଇସାରିଲେଣି। ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୫୩.୬୮ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ତାହାସହିତ ସେହି ସମୟ ପର୍ଯ୍ୟନ୍ତ ମୋଟ ୭୧.୬୫ କୋଟି ପାନ ଟିକା ଦିଆଯାଇଛି।
ଗୁରୁବାର ଗତ ୨୪ଘଣ୍ଟାରେ ୪୩ହଜାର ୨୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୪୦ହଜାର ୫୬୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୧ଲକ୍ଷ ୩୯ହଜାର ୯୮୧କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୧ହଜାର ୭୪୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୨୩ଲକ୍ଷ ୦୪ହଜାର ୬୧୮ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୯୩ହଜାର ୬୧୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭୧,୬୫,୯୭,୪୨୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୮୬,୫୧,୭୦୧ଜଣଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ସମୁଦାୟ ୫୩,୬୮,୧୭,୨୪୩ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୮,୧୭,୬୩୯ଟି ନମୁନା।