ଜୁନ ୧ ପର୍ଯ୍ୟନ୍ତ ମହାରାଷ୍ଟ୍ର ଲକ୍ଡାଉନ
ମୁମ୍ବାଇ : ଦେଶରେ କରୋନାର ୨ୟ ତରଙ୍ଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ୪ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି, ଭେଣ୍ଟିଲେଟର, ଅମ୍ଳଜାନ, ଔଷଧ ଆଦିର ଅଭାବ ଏବେ ମଧ୍ୟ ଦେଖିବାକୁ ମିଳୁଛି। ହଜାର ହଜାର ଆକ୍ରାନ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଉତ୍ତରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର,ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ତାଲାବନ୍ଦ ସହ କଟକଣା ଲାଗୁ କରାଯାଉଛି। ପୂର୍ବରୁ ତାଲାବନ୍ଦ ନିୟମ ଲାଗୁ କରାଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ଜୁନ ୧ ଯାଏଁ ତାଲାବନ୍ଦ ବୃଦ୍ଧି କରାଯାଇଛି ବୋଲି ଘୋଷଣା କରାଯାଇଛି। ଏହାସହ ରାଜ୍ୟରେ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ତାଲାବନ୍ଦ ସମୟରେ ଜରୁରୀ ସେବା ପାଇଁ ଅନୁମତି ପ୍ରଦାନ କରାଯାଇଛି।
ବୁଧବାର ଦିନ ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ହାରାହାରି ଦୈନିକ ସଂକ୍ରମଣ ହାର, ଦେଶର ହାରାହାରି ସଂକ୍ରମଣ ହାରର ପ୍ରାୟ ୫୦%। ଦେଶରେ ସଂକ୍ରମଣ ହାର ୧.୪% ଥିବା ବେଳେ ମହାରାଷ୍ଟ୍ରରେ ସଂକ୍ରମଣ ହାର ୦.୮% ରେକର୍ଡ କରାଯାଇଛି। ରାଜ୍ୟରେ ଦୈନିକ ପ୍ରାୟ ଦୁଇ ଲକ୍ଷ ନମୁନା ପରୀକ୍ଷା ହେଉଥିବା ବେଳେ ନିୟୁତପିଛା ପରୀକ୍ଷା ହାର ୨.୫୦ ଲକ୍ଷ ରହିଛି। ରାଜ୍ୟ ପାଇଁ ଏହା ଶୁଭ ସୂଚନା। ‘ଲକ୍ଡାଉନ୍’ କଟକଣା ଯୋଗୁଁ ରାଜ୍ୟର ୪୫ଟି ଜିଲ୍ଲାରୁ ୧୨ଟି ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଛି। କିନ୍ତୁ, ରାଜ୍ୟରେ ପଜିଟିଭ୍ ହାର ହ୍ରାସ ନ ପାଇ ୧୦%ରେ ରହିଛି।