ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର : ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ । ଏଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁରୁବାର କାର୍କେଡ୍ ରିହର୍ସଲ୍ କରାଯାଇଥିଲା । ଉପରାଷ୍ଟ୍ରପତିଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ବିମାନବନ୍ଦର, ରାଜଭବନ, ସାରଳାଭବନ ଓ ବାଣୀବିହାର ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ୩୦୦ ଅଫିସରଙ୍କୁ ଉପରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯିବ ବୋଲି ପୋ ଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତିଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ଗୁରୁବାର କାର୍କେଡ୍ ରିହରସାଲ୍ କରାଯାଇଛି ବୋଲି ଡିସିପି ଡ. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତିଙ୍କ ନିକଟରେ ଡ୍ୟୁଟି ଥିବା ପୋଲିସ ଅଧିକାରୀଙ୍କର ଆର୍ଟିପିସିଆର୍ କରାଯାଇଥିବା ଡିସିପି ଡ. ଦାସ କହିଛନ୍ତି।
ଶୁକ୍ରବାର ପୂର୍ବାହ୍ନ ୯ଟା ୪୫ ମିନିଟ୍ରେ ଉପରାଷ୍ଟ୍ରପତି ହାଇଦ୍ରାବାଦରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ପୂର୍ବାହ୍ନ ୧୧ଟା ୧୫ ମିନିଟ୍ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିବେ। ପରେ ସେଠାରୁ ସିଧାସଳଖ ରାଜଭବନ ଯିବେ ଓ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ନ ୪ଟା ୪୫ରେ ରାଜଭବନରୁ ବାହାରି ସଡ଼କ ପଥରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନକୁ ଯିବେ । ପରେ ୫ଟା ୩୦ରୁ ୬ଟା ୩୦ଟା ପର୍ଯ୍ୟନ୍ତ କଟକ ସାରଳା ଭବନଠାରେ ଆୟୋଜିତ ହେବାକୁ ଥିବା ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଉତ୍ସବ ତଥା ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ସମାରୋହରେ ଉପସ୍ଥିତ ରହିବେ। ସନ୍ଧ୍ୟା ୬ଟା ୩୦ରେ ସାରଳା ଭବନରୁ ବାହାରି ୭ଟା ୫ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ୩ ତାରିଖ ଅର୍ଥାତ୍ ଆସନ୍ତାକାଲି ସେ ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୦ଟା ୧୦ରେ ରାଜଭବନରୁ ବାହାରି ବିଶ୍ୱବିଦ୍ୟାଳୟ ଅଭିମୁଖେ ଯିବେ । ୧୦ଟା ୨୦ରେ କ୍ୟାମ୍ପସରେ ପହଞ୍ଚିବା ସହ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ସେଠାରେ ରହିବେ । ଏହାପରେ ରାଜଭବନକୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ କରିବେ ଏବଂ ଅପରାହ୍ନ ୫ଟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।