ଜୁଲାଇ ୩୧ ସୁଦ୍ଧା ‘ଓ୍ଵାନ୍ ନେସନ୍, ଓ୍ଵାନ୍ ରାସନ୍’ ଲାଗୁ କରିବା ନେଇ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ

ନୂଆଦିଲ୍ଲୀ : ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ‘ୱାନ ନେସନ, ୱାନ ରେସନ କାର୍ଡ’ ଯୋଜନା ଜୁଲାଇ 31 ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ କରୋନା ପରିସ୍ଥିତି ନକମିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଶୁଖିଲା ରାସନ ବଣ୍ଟନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏହି ଯୋଜନାରେ ପ୍ରବାସୀ ଶ୍ରମିକମାନେ ଲାଭବାନ ହେବେ ଓ ଦେଶର ଯେକୌଣସି ସ୍ଥାନରେ ରାସନ୍ ନେବାର ସୁବିଧା ପାଇପାରିବେ। ଏ ନେଇ ଦେଶର ସର୍ବୋଚ୍ଚ କୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା କାରଣରୁ ସୁପ୍ରିମ୍କୋର୍ଟ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲକ୍ଡାଉନ୍ ପର୍ଯ୍ୟନ୍ତ ଶ୍ରମିକଙ୍କ ପାଇଁ ସମୂହ ରୋଷେଇ ଜାରି ରଖିବାକୁ କହିଛନ୍ତି। କେନ୍ଦ୍ରକୁ ଏହି ନିର୍ଦ୍ଦେଶରେ କୋର୍ଟ କହିଛନ୍ତି ଯେ, କରୋନା ପରିସ୍ଥିତି ନ ଟଳିବା ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟ ସାମଗ୍ରୀ ବଣ୍ଟନ ସରକାର ଜାରି ରଖନ୍ତୁ । ୱାନ୍ ନେଶନ, ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା ନାଶନଲ୍ ପ୍ଲାଟ୍ଫର୍ମ ଦ୍ୱାରା ପରିଚାଳିତ । ଏହା ଡିଜିଟାଇଜ୍ ରାସନ୍ କାର୍ଡ । ଯେଉଁଥିରେ ଉପଭୋକ୍ତାଙ୍କ ସମ୍ପୂର୍ଣ୍ଣ ତଥ୍ୟ ସାଙ୍ଗକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୩ ଅନୁସାରେ ମିଳୁଥିବା ମାସିକ ଖାଦ୍ୟ ସାମଗ୍ରୀର ତଥ୍ୟ, ଉପଭୋକ୍ତା ପୂର୍ବ ମାସ ଗୁଡ଼ିକରେ ପାଇଥିବା ଖାଦ୍ୟ ସାମଗ୍ରୀର ହିସାବ ରହିଥାଏ । ଏହି ଯୋଜନା ଫଳରେ ଜଣେ ଉପଭୋକ୍ତା କାର୍ଡକୁ ଦେଖାଇ ଯେକୌଣସି ସ୍ଥାନରୁ ରାସନ୍ ସାମଗ୍ରୀ ଉଠାଇ ପାରିବ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ପାଖାପାଖି ୮୦ କୋଟି ଲୋକ ଲାଭବାନ୍ ହୋଇପାରୁଛନ୍ତି ।
ସୂଚନା ଯେ, ଏବେ ଦେଶରେ କରୋନା ଲକ୍ଡାଉନ୍ କାରଣରୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରି ଆସିଛନ୍ତି । ଫଳରେ କାର୍ଯ୍ୟସ୍ଥଳୀରେ ସେମାନେ କରିଥିବା ରାସନ୍ କାର୍ଡରେ ଘର ପାଖରେ ରାସନ୍ ପାଇପାରୁନାହାନ୍ତି । ତେଣୁ ଶ୍ରମିକଙ୍କ ଖାଦ୍ୟ ସୁରକ୍ଷା ଲାଗି ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏମ୍ଆର୍ ଶାହାଙ୍କୁ ନେଇ ଗଠିତ ବେଞ୍ଚ ଦେଶର ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ରାସନ କାର୍ଡଧାରୀ ରାସନ୍ ନେବା ନିୟମ ଲାଗୁ କରିଛନ୍ତି । ଏ ନେଇ ପ୍ରତ୍ୟକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଜୁଲାଇ ୩୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।