ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ
- ମେ ୧୬ରେ ଭୋଟ, ୧୯ରେ ଗଣତି
ଭୁବନେଶ୍ୱର : ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନର ତାରିଖ । ଆସନ୍ତା ମେ ୧୩ ତାରିଖରେ ଇଦ୍-ଉଲ-ଫିତର ପଡୁଥିବାରୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମେ ୧୩ ବଦଳରେ ୧୬ ତାରିଖରେ ହେବ ନିର୍ବାଚନ । ସେହିପରି ମେ ୧୯ ତାରିଖରେ ଭୋଟ ଗଣତି ସହିତ ଫଳ ପ୍ରକାଶ ପାଇବ । ମେ ୧୬ରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ଅର୍ଥାତ ମେ ୧୩ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରଚାର ବନ୍ଦ ରହିବ। କୋଭିଡ କଟକଣା ସହ ନିର୍ବାଚନ ହେବାକୁ ଥିବା ବେଳେ କୋଭିଡ ଗାଇଡଲାଇନ ମାନିବା ଉପରେ ଗୁରୁତ୍ୱ ଦିଆଯାଇଛି । ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କୁ ଗୋଟିଏ ଲେଖାଏଁ ଗ୍ଲୋଭସ୍ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।
ସୂଚନା ଯେ, ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ଉପ-ନିର୍ବାଚନ ପାଇଁ ମତଦାନ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲି ଉପ-ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେ ୧୩ ତାରିଖରେ ଉପ-ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । କିନ୍ତୁ ମେ ୧୩ ତାରିଖରେ ଇଦ୍-ଉଲ୍- ଫିତର ଥିବାରୁ ମତଦାନ ହେବ ନାହିଁ । ପୁନଶ୍ଚ ମେ ୧୯ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହିତ ୧୯ ତାରିଖ ଭୋଟ ଗଣତି ଏବଂ ସେହିଦିନ ହିଁ ଫଳ ପ୍ରକାଶ ପାଇବ ।