ପେନସନ୍ ଅଦାଲତ ଦରଖାସ୍ତ ଅବଧି ମେ ୧୫ ଯାଏଁ ବଢିଲା
ଭୁବନେଶ୍ୱର : ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବୃଦ୍ଧି କରାଯାଇଛି । ଅନଲାଇନ୍ ରେ ଦରଖାସ୍ତ ଗ୍ରହଣର ଶେଷ ତାରିଖ ଏପ୍ରିଲ୍ ୩୦ ତାରିଖ ଧାର୍ଯ୍ୟ କରାଯାଇଥିଲା । ବର୍ତମାନ ଏହାକୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଚୋପ୍ରା ସ୍ୱଷ୍ଟ କରିଛନ୍ତି ଯେ ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଫୌଜଦାରୀ, ଭିଜିଲାନ୍ସ୍ ବା ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଓ ବିଭାଗୀୟ ପ୍ରୋସିଡ଼ିଂ ଆଦି ନାହିଁ ସେମାନେ ଏହି ପେନସନ୍ ଅଦାଲତରେ ସୁଯୋଗ ନେଇପାରିବେ । ଦରଖାସ୍ତ ଏଚ୍.ଆର୍.ଏମ୍.ଏସ୍. ପୋର୍ଟାଲ୍ (http://pension.hrmsodisha.gov.in) ମାଧ୍ୟମରେ ଗ୍ରହଣ କରାଯିବ । ଏହି ସମୟ ମଧ୍ୟରେ ମିଳିଥିବା ଦରଖାସ୍ତ ବାବଦରେ ସ୍ୱୀକୃତିପତ୍ର ଅନଲାଇନରେ ଦରଖାସ୍ତକାରୀଙ୍କୁ ମିଳିବ । ନିଷ୍ପତି ବାବଦ ସୂଚନା ମଧ୍ୟ ଦରଖାସ୍ତକାରୀଙ୍କୁ ଇମେଲ୍, ଏସ୍.ଏମ୍.ଏସ୍. ବା ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯିବ । ଯେଉଁ ଦରଖାସ୍ତ ଗୁଡ଼ିକର ସମାଧାନ ପେନସନ୍ ମଞ୍ଜୁର କର୍ତୁପକ୍ଷଙ୍କ ସ୍ତରରେ ହୋଇନପାରିବ ସେ ସେଗୁଡ଼ିକୁ ସଂପୃକ୍ତ ବିଭାଗଙ୍କୁ ପଠାଇଦେବେ । ପରବର୍ତୀ ସମୟରେ ଏହି ଅସମାଧିତ ଦରଖାସ୍ତ ଗୁଡ଼ିକର ବିଚାରପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବଙ୍କ ସ୍ତରରେ ସ୍ୱତନ୍ତ୍ର ଅଦାଲତ ଅନୁଷ୍ଠିତ ହେବ । ଏହି ଅଦାଲତରେ ଶୁଣାଣୀ ତାରିଖ ଓ ନୋଟିସ୍ ଆଦି ମଧ୍ୟ ସଂପୃକ୍ତ କର୍ମଚାରୀଙ୍କୁ ଇମେଲ୍ ବା ଏସ୍.ଏସ୍.ଏସ୍ ମାଧ୍ୟମରେ ଜଣାଇ ଦିଆଯିବ । ଅନଲାଇନରେ ଦରଖାସ୍ତ ପଂଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଲେ ସି.ଏମ୍.ଜି.ଆଇ ହେଲପ୍ ଲାଇନ୍ ନମ୍ବର (୦୬୭୪)୨୫୭୦୧୫୦ ଏବଂ ୨୫୭୨୪୧୦ ମାଧ୍ୟମରେ ସହାୟତା ନେବାପାଇଁ ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ ଜଣାଇଛନ୍ତି ।