ଆଜିଠାରୁ ଟୋକିଓ କ୍ରୀଡ଼ା ମହାକୁମ୍ଭ ଉଦ୍ଘାଟନୀ ଉତ୍ସବ
ଟୋକିଓ : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ । ଜୁଲାଇ ୨୩ରେ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ ଆୟୋଜନ ହୋଇ ଆସନ୍ତା ଅଗଷ୍ଟ ୮ରେ କ୍ରୀଡା ମହାକୁମ୍ଭ ଶେଷ ହେବ । ଏହି କ୍ରୀଡ଼ା ମହୋତ୍ସବକୁ ଜାପାନ ସମ୍ରାଟ ନାରୁହିତୋ ଉଦ୍ଘାଟନ କରିବେ। ସ୍ଥାନୀୟ ସମୟ ରାତି ୮ଟାରେ ଏହି କ୍ରୀଡ଼ା ଆରମ୍ଭ ହେବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟା ୩୦ରେ ଟୋକିଓ ଅଲିମ୍ପିକ୍ସର ଉଦ୍ଘାଟନୀ କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ଅବସରରେ ଆଜି ତୀରନ୍ଦାଜୀ ଏବଂ ନୌକାଚାଳନା କ୍ରୀଡ଼ା ହେବ । ଉଦ୍ଘାଟନୀ ଉତ୍ସବରେ ମାତ୍ର ୧୦୦୦ରୁ କମ୍ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଜାପାନରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଟୋକିଓ ଅଲିମ୍ପିକ୍ସର ଉଦ୍ଘାଟନନୀ ଉତ୍ସବ ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଉଦ୍ଘାଟନୀ ଉତ୍ସବ ପାଇଁ ଅଂଶଗ୍ରହଣକାରୀ ସବୁ ଦେଶରୁ ୬ଜଣ ଲେଖାଏଁ ଅଫିସିଆଲ୍ ସାମିଲ୍ ହେବାକୁ ଅନୁମତି ମିଳିଥିବା ବେଳେ ଆଥଲେଟ୍ମାନଙ୍କୁ କ୍ୟାପ୍ ପିନ୍ଧିବା ବାରଣ କରାଯାଇଛି ।
ଡିଡି ସ୍ପୋର୍ଟସରେ ପ୍ରତିଦିନ ଅଲିମ୍ପିକ୍ ଖେଳର ସିଧା ପ୍ରସାରଣ ହେବ । ଦୂରଦର୍ଶନର ଅନ୍ୟ ଚ୍ୟାନେଲ ଓ ଆକାଶବାଣୀ (ଏଆଇଆର୍) ଅଲିମ୍ପିକ୍ର ଆୟୋଜନ ଉପରେ ବିଶେଷ କାର୍ଯ୍ୟକ୍ରମ ପ୍ରସାରଣ କରିବେ । ୨୦୬ ଦେଶରୁ ୧୧,୨୩୮ରୁ ଊର୍ଦ୍ଧ୍ୱ ଆଥଲେଟ ୩୩ଟି କ୍ରୀଡ଼ା ବିଭାଗରେ ଅଂଶଗ୍ରହଣ କରିବେ । ଟୋକିଓ କ୍ରୀଡ଼ାରେ ଭାରତରୁ ୨୨୮ (୧୨୭ ଆଥଲେଟ୍) ଜଣିଆ ଦଳ ଭାଗ ନେବ । ୬ଥର ବିଶ୍ୱ ଚାମ୍ପିଅନ୍ ଏମ୍ସି ମେରୀ କମ୍ ଓ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଉଦ୍ଘାଟନୀ ଉତ୍ସବ ପାଇଁ ଭାରତୀୟ ଦଳର ଧ୍ୱଜା ବାହାକ ଭାବେ ମନୋନୀତ ହୋଇଛନ୍ତି । ପ୍ରଥମ ଦଳରେ ୮୮ଜଣ ଖେଳାଳି ଅଲିମ୍ପିକର କ୍ରୀଡ଼ା ଗ୍ରାମରେ ପହଂଚି ଅଭ୍ୟାସ ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ସେହିପରି ଭାରତର ୨୨୮ସଦସ୍ୟ ଦଳ ଅଲିମ୍ପିକସରେ ଭାଗ ନେବେ, ସେଥିରେ ମୋଟ ୧୧୯ଜଣ ଖେଳାଳି ସାମିଲ ଅଛନ୍ତି । କୋଭିଡ୍-୧୯ ମହାମାରୀ ମଧ୍ୟରେ ଆୟୋଜିତ ଖେଳ ପାଇଁ ଭାରତର ୮ତୀରନ୍ଦାଜ, ବ୍ୟାଡମିଂଟନ, ଟେବୁଲ ଟେନିସ୍, ହକି, ଜୁଡୋ, ଜିମ୍ନାଷ୍ଟିକ୍, ଭାରୋତୋଳନ ଓ ସୁଇମିଂର ଖେଳାଳିଳ, ସହଯୋଗୀ ଷ୍ଟାଫ୍ ଓ ଅଧିକାରୀ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଜାପାନର ରାଜଧାନୀରେ ପହଂଚିଛନ୍ତି । ବିମାନବନ୍ଦର ରେ କୁରୋବେ ସହରର ପ୍ରତିନିଧି ଦଳ ଭାରତୀୟ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ତାଙ୍କ ହାତରେ ସ୍ୱାଗତ ବ୍ୟାନର ଥିଲା । ସେଥିରେ ଲେଖାଥିଲା କୁରୋବେ ଭାରତୀୟ ଖେଳାଳିଙ୍କୁ ସମର୍ଥନ କରୁଛି ।