ରାଷ୍ଟ୍ରୀୟ ଉପସଭାପତି ଓ ମହାସଚିବ ଘୋଷଣା କଲେ ପଶୁପତି
![](https://thetruths.in/wp-content/uploads/2021/06/LJP_President.jpg)
ପାଟନା : ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଏବେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ପଟେ ବର୍ତ୍ତମାନ ସାଂସଦ ପଶୁପତି ପାରସ ଯାଉଥିବାବେଳେ ଅନ୍ୟ ରାସ୍ତାରେ ସାଂସଦ ଚିରାଗ ପାସୱାନ ଯାଉଛନ୍ତି । ଆଉ ନୂଆ ଅଧ୍ୟକ୍ଷ ଘୋଷଣା ହେବା ପରେ ପଶୁପତି ଆଜି ଜାତୀୟ, ରାଜ୍ୟ କାର୍ଯ୍ୟନିର୍ବାହୀ ତଥା ଏଲଜେପିର ବିଭିନ୍ନ କମିଟିକୁ ବିଲୋପ କରିଛନ୍ତି । ସେ ସାଂସଦ ଚୌଧୁରୀ ମେହବୁବ ଅଲି କେସର ଏବଂ ବୀଣା ଦେବୀଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ଘୋଷଣା କରିଥିବାବେଳେ ପ୍ରିନ୍ସ ରାଜ ଏବଂ ଚନ୍ଦନ ସିଂଙ୍କୁ ରାଷ୍ଟ୍ରୀୟ ମହାସଚିବ ଭାବେ ଘୋଷଣା କରାଯାଇଛି।
ସୂଚନା ଯେ, ଚାରିଜଣ ସାଂସଦଙ୍କ ସହ ପଶୁପତି ପାରସ ନିଜର ଟିମ ଗଠନ କରିଛନ୍ତି। ଏହା ପରେ ଦଳର ଜାତୀୟ ସଭାପତି ଭାବରେ ପାଟନାରେ ପଶୁପତି ପାରସଙ୍କୁ ନିର୍ବାଚିତ କରାଯାଇଥିଲା । ଜାତୀୟ ସଭାପତି ପଦ ପାଇବା ପରେ ସାଂସଦ ପଶୁପତି ପାରସ କହିଥିଲେ ଯେ ସେ ଦଳ (ଏଲଜେପି) ଭାଙ୍ଗି ନାହାଁନ୍ତି, ଏହାକୁ ରକ୍ଷା କରିଛନ୍ତି। ସେ କହିଛନ୍ତି ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ପରାଜୟ ପରେ ଦଳର ଅସ୍ତିତ୍ୱ ଧୀରେ ଧୀରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ରାମ ବିଳାସ ପାସୱାନଙ୍କ ପାର୍ଟି ଏବଂ ତାଙ୍କ ଚିନ୍ତାଧାରାକୁ ବଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।