ପୁରା ଓଡ଼ିଶାକୁ ଛୁଇଁଲା ମୌସୁମୀ

- ପ୍ରବଳ ବର୍ଷା ସମ୍ଭାବନା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ସାରା ଓଡିଶାକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କ୍ରମେ ପଶ୍ଚିମ -ଉତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଝାରଖଣ୍ଡ ଓ ଉତର ଛତିଶଗଡକୁ ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ , ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢ଼େଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଆଦି ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୧୪ ତାରିଖ ସକାଳ ଠାରୁ ୧୫ ତାରିଖ ସକାଳ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ବରଗଡ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ଜମିବା ଓ ପାହାଡିଆ ଅଂଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।