ବାଇକ୍ ଉପରେ ଚଢ଼ିଗଲା ହାଇୱା : ସ୍ୱାମୀ-ସ୍ତ୍ରୀ ମୃତ, ଝିଅ ଗୁରୁତର
ଯାଜପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଉପରେ ଚଢ଼ିଗଲା ହାଇୱା । ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ନାବାଳିକା ଝିଅ ଗୁରୁତର। ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଛକ ନିକଟରେ ରବିବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଦାୟିତ୍ୱରେ ନିୟୋଜିତ ଥିବା ଠିକା ସଂସ୍ଥା ଡିବିଏଲର ଏକ ହାଇୱା ବାଇକ୍ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ୮ ବର୍ଷର ଝିଅ ଗୁରୁତର ମଧ୍ୟ ହୋଇଛି। ତେବେ ମୃତକଙ୍କ ପରିଚୟ ମିଳିନାହିଁ । ସେପଟେ କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡିମଟର ଅଟକି ରହିଛି । ସୂଚନା ଯେ, ଦମ୍ପତି ନିଜର ୮ ବର୍ଷର ଝିଅ ସହିତ ଏକ ବାଇକରେ ଭୁବନେଶ୍ୱରରୁ ଭଦ୍ରକ ଯାଉଥିଲେ। ହେଲେ ନେଉଳପୁର ନିକଟରେ ଏକ ଘରୋଇ ବସ୍ ରଙ୍ଗରୁଟରେ ଆସୁଥିଲା। ସେହି ବସକୁ ସାଇଡ ମାରି ଉକ୍ତ ହାଇୱାଟି ଆଗକୁ ମାଡ଼ିଯାଇଥିଲା। ତାହା ବାଇକ୍ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ୮ ବର୍ଷର ଝିଅ ଗୁରୁତର ମଧ୍ୟ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କର ଏଯାବତ୍ ପରିଚୟ ମିଳିନାହିଁ। ତେବେ ଗୁରୁତର ଝିଅଟିକୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନା ନିଆଜେଠିବା ବେଳେ ସେଠାରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।