ପୋଖରୀରୁ ଉଦ୍ଧାର ନରକଙ୍କାଳର ମିଳିଲା ପରିଚୟ
ଯାଜପୁର : ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ପାଣି ଶୁଖିବା ପରେ ଗତ ୮ ତାରିଖରେ ଉଦ୍ଧାର ହୋଇଥିବା ନରକଙ୍କାଳର ପରିଚୟ ମିଳିଛି । ନରକଙ୍କାଳଟି ଜଣେ ଯୁବତୀଙ୍କର ହୋଇଥିବା ବେଳେ ସେ ସ୍ଥାନୀୟ ଖଣ୍ଡରା ଗାଁର ଶୁଭଶ୍ରୀ ରାଉତ ବୋଲି ମୃତକଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ୍ ତଦନ୍ତ ପରେ ନରକଙ୍କାଳର ପରିଚୟ ମିଳିଥିବା ବେଳେ ମୃତ୍ୟୁ କାରଣ ଏବେବି ଅସ୍ପଷ୍ଟ ରହିଛି ।
ସୂଚନା ଯେ, ଗତ ୨୦୨୦ ନଭେମ୍ବର ୨ ତାରିଖରୁ ଶୁଭଶ୍ରୀ ନିଖୋଜ ଥିବାନେଇ ପରିବାର ପକ୍ଷରୁ ପୋଲିସ୍ ପାଖରେ ଅଭିଯୋଗ ହୋଇଥିଲେ ହେଁ ଶୁଭଶ୍ରୀଙ୍କ ପତ୍ତା ମିଳିନଥିଲା । ଶୁଭଶ୍ରୀଙ୍କୁ କେହି ହତ୍ୟା କରି ମୃତ ଦେହରେ ପଥର ବାନ୍ଧି କପିଳେଶ୍ୱର ଗାଁ ପୋଖରୀରେ ପକାଇଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ୍ୟୁ ପଛରେ ଗାଁର ଶିବ ପଣ୍ଡା, ହରିହର ନାୟକ ଓ ସ୍ଥାନୀୟ ସରପଞ୍ଚଙ୍କ ହାତ ଥିବା ନେଇ ରବିବାର ଯାଜପୁର ଟାଉନ୍ ଥାନାରେ ପୁଣି ଏକ ଲିଖିତ ଅଭିଯୋଗ କରିଛନ୍ତି ଶୁଭଶ୍ରୀଙ୍କ ପରିବାର ଲୋକ ।