ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଡିଏମଇଟି
![](https://thetruths.in/wp-content/uploads/2021/06/DMET-Chief-CBK-Mohanty.jpg)
ଭୁବନେଶ୍ୱର : ଏବେବି ଅନେକ ଦେଶରେ ତୃତୀୟ ଲହର ଆସିନି । ମହାରାଷ୍ଟ୍ରରେ ମଧ୍ୟ ଆସିନାହିଁ । ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ଯୁଦ୍ଧକାଳୀନ ଭିତିରେ ଟିକାକରଣ ବି ଚାଲିଛି । ଅଧିକ ଲୋକ ସଂକ୍ରମଣ ହେବା ଆଶଙ୍କା ଥିବାରୁ ଅଧିକ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି ।
ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବେ କି ନାହିଁ ଭିନ୍ନ ଭିନ୍ନ ଆକଳନ ହୋଇଛି । ଯଦି ଶିଶୁ ଅଧିକ ଆକ୍ରାନ୍ତ ହୁଅନ୍ତି ସେଥିପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ଜୁନ୍ ୭ ସୁଦ୍ଧା ବିଶ୍ୱରେ ୬୩ ଜଣ ଡେଲଟା ପ୍ଳସ ଭାରିଆଂଟ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଭାରତରେ ୬ ଜଣ ଥିଲେ । ସେହି ସଂଖ୍ୟାକୁ ଦେଖିଲେ ଆତଙ୍କିତ ହେବାର ନାହିଁ । ବିଭିନ୍ନ ବିଶେଷଜ୍ଞଙ୍କ ମତରେ ତାଳମେଳ ରହୁନାହିଁ । ଆବଶ୍ୟକ ସ୍ଥଳେ ଅଧିକ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । ପ୍ରଥମ ଲହରରେ ୧୨ ପ୍ରତିଶତ ଆକ୍ରାନ୍ତ ହୋଇଥିଲେ । ଦ୍ୱିତୀୟ ଲହରରେ ବି ସେତିକି ପ୍ରତିଶତ ରହିଲା । ତୃତୀୟ ଲହରରେ ଅଧିକ ସଂକ୍ରମଣ ଆଶା ନାହିଁ ବୋଲି ସେ କହିଛନ୍ତି । ସେପଟେ ଏବେ ରାଜ୍ୟରେ ସଂକ୍ରମଣ ସାମାନ୍ୟ ବଢିଛି । ସବୁ ରୋଗରେ ଏପରି ଟ୍ରେଣ୍ଡ ଦେଖାଦିଏ । ଡେଲଟା ଭାରିଆଂଟ ଦେଶରେ ବହୁ କମ୍ ଦେଖିବାକୁ ମିଲିଛି ବୋଲି ସେ କହିଛନ୍ତି ।