ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ଲୁଚେଇ ନାହାନ୍ତି : ଡିଏମଇଟି

ଭୁବନେଶ୍ୱର : ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ଲୁଚେଇ ନାହାନ୍ତି । ଗୋଟିଏ ଦିନରେ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦ୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ ମୃତ୍ୟୁ ସଂଖ୍ୟାକୁ ଘୋଷଣା କରାଯାଉଛି । ପୂର୍ବରୁ କୋଭିଡ-ନନ୍ କୋଭିଡ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । କେଉଁ କାଟାଗୋରୀରେ କେଉଁ ମୃତ୍ୟୁ ଯିବ, ସେନେଇ ସରକାରଙ୍କ ପକ୍ଷରୁ ନିର୍ଦେଶ ମିଳିବା ପରେ ମୃତ୍ୟୁ ତଥ୍ୟର ଅଡିଟ କରାଯାଇଛି ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।
ସେ ଆହୁରି କହିଛନ୍ତି, କରୋନା ପିକ୍ ସମୟରେ ଡାକ୍ତରମାନେ ରୋଗୀ ସେବାରେ ବ୍ୟସ୍ତ ରହୁଥିଲେ । ଏବେ ରୋଗୀ ସଂଖ୍ୟା କମିବା ପରେ ଅଡିଟ କରାଯାଇ ତଥ୍ୟ ଆସୁଛି । କଟକ, ଭୁବନେଶ୍ୱରରେ ସଂକ୍ରମଣ ଗତ ୧୦ ଦିନ ତୁଳନାରେ କମିଛି । ତଥାପି ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି । ଏଥିପାଇଁ ସ୍ୱତନ୍ତ୍ର ଫୋକସ କରିବା ସହ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସକୁ ବଢାଯାଇଛି ବୋଲି ସେ କହିଛନ୍ତି ।