ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ ଘଂଟିଆ ସହାୟତା ନମ୍ବର ଜାରି

ଭୁବନେଶ୍ୱର : ସଂପ୍ରତି କୋଭିଡ୍-୧୯ ଦ୍ୱିତୀୟ ଲହରରେ ଦୀର୍ଘଦିନ ଧରି ସାରା ଦେଶରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ସ୍ଥିତି ଲାଗି ରହିଥିବାରୁ ବହୁସଂଖ୍ୟାରେ ପ୍ରବାସୀ ନିଜ ନିଜ ଜିଲ୍ଲାକୁ ଫେରି ଆସୁଛନ୍ତି । କଠିନ ପରିସ୍ଥିତି ହେତୁ ଅନେକ ମହିଳା ଏବଂ ବାଳିକା ମଧ୍ୟ ଘରୋଇ ହିଂସାର ଶିକାର ହେବାର ସମ୍ଭାବନା ଅଛି । କୋଭିଡ୍ରେ ପିତାମାତା ସଂକ୍ରମିତ ହୋଇ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ“ହେଉଥିବା ସମୟରେ ସେମାନଙ୍କ ଶିଶୁମାନେ ମଧ୍ୟ ଅସହାୟ ଅନୁଭବ କରୁଛନ୍ତି ଏବଂ ନିର୍ଯାତନାର“ଶିକାର ହେବାର ଆଶଙ୍କା ରହିଛି । ଏହିଭଳି ଭେଦଭାବ, ହିଂସା ବା ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳା ଓ ଶିଶୁଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଂଟିଆ ସହାୟତା ନମ୍ବର ଜାରି କରାଯାଇଛି ।
୧୦୦/୧୮୧/୧୦୯୮ ସହାୟତା ନମ୍ବରରେ ଯୋଗାଯୋଗ କରି ପୀଡିତା ମହିଳା ଓ ଶିଶୁମାନେ ସାହାଯ୍ୟ ପାଇପାରିବେ । ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ (ୱାନ୍ ଷ୍ଟପ୍ ସେଂଟର)ରେ ମଧ୍ୟ ଯୋଗାଯୋଗ କଲେ ୨୪ ଘଂଟିଆ ନିଃଶୁଷ୍ଠ ସେବା ଯୋଗାଇ ଦିଆଯିବ । ଘରୋଇ ହିଂସା ବିଷୟରେ ଜଣାଇବା ପାଇଁ ହ୍ୱାଟସ୍ଆପ୍ ନମ୍ବର ୭୮୦୫୦୦୬୦୩୯ରେ ବାର୍ତା ଦେଇପାରିବେ । ମହିଳା କମିଶନ ସହିତ ଯୋଗାଯୋଗ କରିବା ପାଇଁ ହ୍ୱାଟସ୍ଆପ୍ ନମ୍ବର ୮୭୬୩୫୪୩୦୧୩ ଜରି କରାଯାଇଛି । ହିଂସାମୁକ୍ତ ସମାଜ ଗଠନ ଦିଗରେ ମହିଳାମାନେ ଏହି ବ୍ୟବସ୍ଥାର ଉପଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।