ଟିକାକରଣ ଅଭିଯାନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କୋଓ୍ଵିନ ପୋର୍ଟାଲ

- ୫୦ ଦେଶକୁ ଏହାର ସିଷ୍ଟମ ଦେବ ଭାରତ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଭାରତରେ ଟିକାକରଣ ଅଭିଯାନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କୋଓ୍ଵିନ ପୋର୍ଟାଲ। ଏହା ଜରିଆରେ ଲୋକେ ପଞ୍ଜୀକରଣ କରି ସହଜରେ ଟିକା ନେଉଛନ୍ତି। ଏବେ କାନାଡା, ମେକ୍ସିକୋ, ନାଇଜେରିଆ ଓ ପାନାମା ସହିତ ପ୍ରାୟ ୫୦ ଦେଶ ନିଜର ଟିକାକରଣ ଅଭିଯାନ ପାଇଁ କୋଓ୍ଵିନ ପ୍ରଣାଳୀ ପ୍ରତି ରୁଚି ଦେଖାଇଛନ୍ତି। ସେହିପରି ଭାରତ ମଧ୍ୟ ‘ଓପନ ସୋର୍ସ ସଫ୍ଟଓୟାର’ ମାଗଣାରେ ଦେବାକୁ ପ୍ରସ୍ତୁତ। ଜଣେ ବରିଷ୍ଠ ଅଧିକାରୀ ସୋମବାର ଏହାର ସୂଚନା ଦେଇଛନ୍ତି।
କୋଭିଡ୍-୧୯ ଟିକାକରଣ ଅଭିଯାନ ପାଇଁ ଅଧିକାରପ୍ରାପ୍ତ ସମୂହର ଅଧ୍ୟକ୍ଷ ଡ.ଆରଏସ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକାରୀଙ୍କୁ ସଫ୍ଟଓୟାରର ‘ଓପନ ସୋର୍ସ ସଂସ୍କରଣ’ ପ୍ରସ୍ତୁତ ରଖିବା ଓ ଏଥିରେ ରୁଚି ଦେଖାଉଥିବା କୌଣସି ବି ଦେଶକୁ ମାଗଣାରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋଓ୍ଵିନ ପୋର୍ଟାଲ ଏତେ ଲୋକ ପ୍ରିୟ ହୋଇଛି ଯେ, ମଧ୍ୟ ଏସିଆ, ଲାଟିନ୍, ଆମେରିକା, ଆଫ୍ରିକାର ପ୍ରାୟ ୫୦ ଦେଶ କୋଓ୍ଵିନ ପରି ପ୍ରଣାଳୀ ପ୍ରତି ଚୁଚି ଦେଖାଇଛନ୍ତି। ସମଗ୍ର ଦୁନିଆର ସ୍ଵାସ୍ଥ୍ୟ ଓ ଟେକ୍ନୋଲୋଜି ବିଶେଷଜ୍ଞର ଏକ ବୈଶ୍ଵିକ ସମ୍ମିଳନୀ ଜୁଲାଇ ୫ରେ ଡିଜିଟାଲ ଜରିଆରେ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ଭାରତ କୋଓ୍ଵିନ କିପରି କାମ କରେ ତାହା ଜଣାଇବ। ଆମେ ବିଶ୍ଵକୁ ଏହି ପ୍ରଣାଳୀ କିଭଳି କାମ କରୁଛି ଜଣାଉଛୁ। ଏହା ମଧ୍ୟ ଅବଗତ କରାଉଛୁ ଯେ, ଆମେ କିଭଳି ‘ଓପନ ସୋର୍ସ ସଫ୍ଟଓୟାର’ ମାଗଣାରେ ଦେବାକୁ ପ୍ରସ୍ତୁତ ଅଛୁ। କାନାଡା, ମେକ୍ସିକୋ, ପାନାମା, ଅଜରବେଇଜାନ, ୟୁକ୍ରେନ, ନାଇଜେରିଆ, ଉଗାଣ୍ଡା ଆଦେ ଦେଶ ବହୁତ ରୁଚି ଦେଖାଇଛନ୍ତି। ଏଥିସହ ଭିଏତନାମ, ଇରାକ, ଡୋମିନିକନ ଗଣରାଜ୍ୟ, ୟୁଏଇ ପରି ଦେଶ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ପାଇଁ କୋଓ୍ଵିନ ବିଷୟରେ ରୁଚି ଦେଖାଇଛନ୍ତି। ଶର୍ମା କହିଛନ୍ତି, ପାଞ୍ଚ ମାସରେ କୋଓ୍ଵିନ ୩୦ କୋଟିରୁ ଅଧିକ ପଞ୍ଜୀକରଣ ଓ ଟିକାକରଣକୁ ସମ୍ଭାଳିବା ଯୋଗ୍ୟ ହୋଇ ଯାଇଛି। ଏହା ନାଗରିକ କେନ୍ଦ୍ରିତ ଏକ ମଞ୍ଚ ଏବଂ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସୂଚନାର ସ୍ରୋତ ଉପଲବ୍ଧ କରାଇଥାଏ।