ବରଯାତ୍ରୀ ହେଲା ଶେଷ ଯାତ୍ରା : ଖାଇକୁ ଖସିଲା ପିକଅପ୍ ଭ୍ୟାନ, ୯ ମୃତ ଓ ୩ ଗୁରୁତର

ସିମଲା : ହିମାଚଳ ପ୍ରଦେଶର ପାଚ୍ଚଡ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୀରମୌର ଜିଲ୍ଲାର ପାଶୋଗ ଗାଁ ନିକଟରେ ଚଳନ୍ତା ପିକ୍ଅପ୍ ଭ୍ୟାନ ଖାଇକୁ ଖସିପଡିବାରୁ ୯ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା କହିଛନ୍ତି ଡିଏସପି ବୀର ବାହାଦୂର ।
ପୋଲିସ କହିବା ମୁତାବକ, ପାଓ୍ବନ୍ତା ସାହିବ ଏବଂ ସିଲ୍ଳାଇ ସବ୍ଡିଭିଜନ ସୀମାନ୍ତରେ ଥିବା ପାଶୋଗ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ପିକ୍ଅପ୍ ଭ୍ୟାନରେ କିଛି ଲୋକ ନିକଟସ୍ଥ ଏକ ସ୍ଥାନକୁ ବରଯାତ୍ରୀ ଯାଉଥିବା ବେଳେ ଭାରସାମ୍ୟ ହରାଇ ପିକ୍ଅପ୍ଟି ପାହାଡ ତଳ ଖାଇକୁ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।