ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

????????????????????????????????????
କଟକ : ମହାମାରୀ କରୋନା ସହ ଲଢି ଲଢି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ସେ ଥିଲେ ଏକାଧାରରେ ପୋଲିସ ବିଭାଗର ଅତିରିକ୍ତ ଡିଜି, ବିଶିଷ୍ଟ ସାହିତ୍ୟିକ । ଡ. ପାଣିଗ୍ରାହୀଙ୍କର ଶୁକ୍ରବାର ରାତିରେ କୋଲକାତାର ମେଡିକା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା ।
ଡ. ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ମେ ୨୯ ତାରିଖରେ କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ଏକମୋ ସହାୟତାରେ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ଡକ୍ଟର ପାଣିଗ୍ରାହୀଙ୍କର ପତ୍ନୀ ଅଧ୍ୟାପିକା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଝୁମକି ରଥ, ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଦେବାଶିଷଙ୍କ ବିୟୋଗରେ ଶୋକ ଜଣାଇଛନ୍ତି । ସୂଚନା ଯେ, ୧୯୬୫, ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱର ରେ ଜନ୍ମଗ୍ରହଣ କରିଥିଲେ ଦେବାଶିଷ ପାଣିଗ୍ରାହୀ । ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କରିବା ସହିତ ଦିଲ୍ଲୀର ଜେଏନୟୁରେ ଏମଫିଲ୍ ଓ ପିଏଚ୍ଡି କରିଥିଲେ । ୧୯୯୧ରେ ସେ ଭାରତୀୟ ପୋଲିସ ସେବା (ଆଇପିଏସ୍)ରେ ଯୋଗ ଦେଇଥିଲେ । ପୋଲିସ ସେବାରେ ଯୋଗଦେଇ ସେ କଟକ, ଭୁବନେଶ୍ବର, ପୁରୀ, ଗଂଜାମ, କେନ୍ଦୁଝର ଭଳି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ଏସ୍ପି ଭାବେ କାର୍ଯ୍ୟ କରିବା ସହିତ ପୁଲିସ ବିଭାଗର ଡିଆଇଜି (ପ୍ରଶାସନ), ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଆଇଜି (ମଡର୍ଣ୍ଣାଇଜେସନ୍), ଆଇଜି (ପର୍ସନେଲ୍), ଏଡିଜି (ପର୍ସନେଲ୍) ଭାବେ କାର୍ଯ୍ୟ କରି ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ପୋଲିସ ବିଭାଗରେ ଉତ୍ତମ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ପୋଲିସ ମେଡାଲ୍ ପାଇଛନ୍ତି । କଟକ, ଭୁବନେଶ୍ୱର ଓ ପୁରୀ ଭଳି ୩ଟି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରି ଅର୍ଜିଛନ୍ତି ସୁନାମ ।