ଇଟାଭାଟି ଭାଙ୍ଗିବାରେ ଫେଲ ମାରିଲା ପ୍ରଶାସନ
![](https://thetruths.in/wp-content/uploads/2021/04/Etabhati-Birodh-1024x576.jpg)
- କୁଲଡ଼ିହା ଇକୋ ସେନ୍ସିଟିଭ୍ ଜୋନରେ ରହିଛି ୧୪ଟି ଇଟାଭାଟି
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ ନିର୍ଦ୍ଦେଶରେ ନୀଳଗିରି ପ୍ରଶାସନ ପକ୍ଷରୁ ଗୁରୁବାର ନୀଳଗିରିରୁ ସନ୍ତରାଗଡ଼ିଆ ପର୍ଯ୍ୟନ୍ତ କୁଳଡିହା ଅଭୟାରଣ୍ୟ ସୀମାନ୍ତ (ଇକୋ ସେନ୍ସିଟିଭ୍ ଜୋନ)ରେ ଥିବା ୧୪ଟି ଇଟାଭାଟିକୁ ଭାଙ୍ଗିବା ପାଇଁ ଯାଇଥିଲେ । ଏହି ଖବର ପାଇ ହଜାର ହଜାର ଶ୍ରମିକ, ଅଞ୍ଚଳବାସୀ ଓ ଭାଟି ମାଲିକମାନେ ଏକଜୁଟ ହୋଇ ବିରୋଧ କରିଥିଲେ । ଫଳରେ ଏହି ଉଚ୍ଛେଦ ହୋଇପାରି ନଥିଲା ।
![](https://thetruths.in/wp-content/uploads/2021/04/1-1-1024x576.jpg)
![](https://thetruths.in/wp-content/uploads/2021/04/2-1-1024x473.jpg)
ସୂଚନା ଯେ, କୁଲଡ଼ିହା ଜଙ୍ଗଲ ବନ୍ୟ ଜନ୍ତୁ ଓ ଅଭୟାରଣ୍ୟ ସୁରକ୍ଷା ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୦୧୭ ଅଗଷ୍ଟ ୯ ତାରିଖରେ ଉକ୍ତ ଅଞ୍ଚଳ ଇକୋ ସେନ୍ସିଟିଭ୍ ଜୋନରେ ଯାଉଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ୨୧୯.୧୮ ବର୍ଗ କି.ମି. ଅଞ୍ଚଳ କୁଲଡିହା ଇକୋ ସେନ୍ସିଟିଭ୍ ଜୋନ୍ରେ ଅର୍ନ୍ତଭୁକ୍ତ ହୋଇଥିଲା । ବନବିଭାଗ ମାପଚୁପ ପରେ ଅଭୟାରଣ୍ୟ ସୀମାନ୍ତରେ ୧୪ଟି ଚିମିନି ଇଟାଭାଟି ଥିବାର ଜାଣିବାକୁ ପାଇଥିଲା । ଏନେଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଗତ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ପରେ ବାଲେଶ୍ୱର ଡିଏଫ୍ଓ ଏକ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲେ। ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ତଦନ୍ତ କରାଇ ଏସବୁ ଇଟାଭାଟିକୁ ଉଚ୍ଛେଦ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଗୁରୁବାର ନୀଳଗିରି ପ୍ରଶାସନ ପକ୍ଷରୁ ଉକ୍ତ ଇଟାଭାଟି ଗୁଡ଼ିକୁ ଭାଙ୍ଗିବା ପାଇଁ ଘଟଣାସ୍ଥଳରେ ଗୁରୁବାର ପୂର୍ବାହ୍ନରୁ ଶୁକ୍ରବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଥିଲେ । ଉଛେଦ ପାଇଁ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ତହସିଲଦାର ଅଶେଷ ନାୟକ, ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ, ଆଇଆଇସି ପ୍ରଭଞ୍ଜନ ବେହେରା, ନୀଳଗିରି ରେଞ୍ଜର ମନୱାର ଖାଁ, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର ଓ ପୋଲିସ ଫୋର୍ସ ଯିବାବେଳକୁ ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତାର ମିରିଗିଣି ଠାରେ ପୂର୍ବରୁ ପ୍ରସ୍ତୁତ ଥିବା ହଜାର ହଜାର ଶ୍ରମିକ, ଅଞ୍ଚଳବାସୀ ଓ ଇଟାଭାଟି ମାଲିକମାନେ ସେମାନଙ୍କୁ ଅଟକାଇଥିଲେ । ଜୀବନ ଜୀବିକାର ଦ୍ୱାହି ଦେଇ ଉଚ୍ଛେଦକୁ ତୀବ୍ର ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ତହସିଲଦାର ଓ ଉପଜିଲାପାଳଙ୍କ ସହ ଇଟାଭାଟି ମାଲିକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମାତ୍ର କୌଣସିମୋତେ ରାସ୍ତା ଅବରୋଧ ନ ହଟିବାରୁ ପ୍ରଶାସନ ଫେରିଥିଲା।