ଭୟାବହ ଅଗ୍ନିକାଣ୍ଡ, ୩ ଜୀବନ୍ତ ଦଗ୍ଧ

ସମସ୍ତିପୁର : ବିହାରର ସମସ୍ତିପୁର ଜିଲା ଅନ୍ତର୍ଗତ କଲ୍ୟାଣପୁର ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ଛକ୍କନ ଟୋଲି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅନେକ ଘର ଜଳି ପାଉଁଶ ହୋଇଯିବା ସହ ଏକ କୋଠରୀରେ ଶୋଇଥିବା ଅବସ୍ଥାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଯେ, ଯେଉଁ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା, ସେହି ସମୟରେ ଲୋକେ ନିଜ ଘରେ ଶୋଇଥିଲେ। ନିଆଁ ଲାଗିବା ମାତ୍ରେ ଅଞ୍ଚଳରେ ହଇଚଇ ସୃଷ୍ଟି ହେବା ସହ ଲୋକେ ନିଜ ନିଜ ଘରୁ ବାହାରି ଆସି ଜୀବନ ବଞ୍ଚାଇଥିଲେ। ମାତ୍ର ଏକ କୋଠରୀରେ ଶୋଇଥିବା ଉକ୍ତ ୩ ଜଣଙ୍କ ଆଖି ଖୋଲିବା ବେଳକୁ ଚାରି ଆଡେ ନିଆଁ ବ୍ୟାପିି ଯିବାରୁ ସେମାନେ ଜଳି ଯାଇଥିଲେ। ସେମାନଙ୍କୁ ବଞ୍ଚାଇବା ମଧ୍ୟ ସମ୍ଭବ ହୋଇନଥିଲା। ଏଯାବତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।