ଜନତା ମୈଦାନରେ ଶପଥ ଗ୍ରହଣ ଉତ୍ସବ, ସମୀକ୍ଷା କଲେ ବିଜେପିର କର୍ମୀ ଓ ନେତା

ଭୁବନେଶ୍ୱର: ରାଜ୍ୟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ଜନତା ମୈଦାନରେ ହେବ। ଏଥିନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକଙ୍କୁ ସରକାର ଗଠନରେ ସାମିଲ କରିବା ପାଇଁ ଏହି ଆୟୋଜନ କରାଯାଉଥିବା ସୂଚନା ମିଳିଛି। ବିଜେପିର କର୍ମୀ ଓ ନେତା ଜନତା ମୈଦାନ ବୁଲି ସମୀକ୍ଷା କରିବା ସହ କିପରି ଆୟୋଜନ ହେବ ତାହାକୁ ଆକଳନ କରିଛନ୍ତି।
ପ୍ରଥା ଅନୁସାରେ ରାଜ୍ୟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ରାଜଭବନ ସମାରୋହ ପ୍ରକୋଷ୍ଠରେ ହୋଇଥାଏ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁଠି ଚାହିଁବେ ସେଠାରେ ଶପଥଗ୍ରହଣର ନିୟମ ରହିଛି। ଏହିକ୍ରମରେ ପୂର୍ବରୁ ନବୀନ ପଟ୍ଟନାୟକ ମଧ୍ୟ ପ୍ରଦର୍ଶନୀ ପଡ଼ିଆରେ ଶପଥଗ୍ରହଣ ଉତ୍ସବ ଆୟୋଜନ କରିଥିବା ନଜୀର ରହିଛି।
ଏଯାଏ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇ ନାହିଁ। ଅନେକ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କାହା ନାଁ ଉପରେ ମୋହର ମାରି ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଓଡ଼ିଶାରେ ୧୦ ତାରିଖ ଦିନ ନୂଆ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବେ। ଏଥିଲାଗି ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ସେ ଅନୁରୋଧ କରିବା ବିଧି ରହିଛି।
ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ସ୍ଥିର ହୋଇଛି। ଦଳ ରାଜ୍ୟରେ ୭୮ଟି ଆସନ ହାସଲ କରିଛି। ସରକାର ଗଠନ ଲାଗି ୭୪ ଆସନ ଆବଶ୍ୟକ।
ଅନ୍ୟପକ୍ଷରେ ବିଜେଡିର ନିର୍ବଚିତ ୫୧ ବିଧାୟକଙ୍କ ଭିତରେ ଆତ୍ମ ବିଶ୍ୱାସ ଆଣିବାକୁ ଚେଷ୍ଟା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଯନାୟକ। ସେ କହିଛନ୍ତି, ବିଗତ ୨୪ ବର୍ଷରେ ଦଳ ଓଡ଼ିଶାର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛି। କିନ୍ତୁ ପରାଜୟର କାରଣ କ’ଣ ତାହାକୁ ନେଇ ସ୍ପଷ୍ଟ ହୋଇ ନାହିୋ। ଏହାକୁ ନେଇ ସମୀକ୍ଷା କରାଯିବ ବୋଲି ବିଜେଡି ନେତା ଗତକାଲି କହୁଥିବା ବେଳେ ଆଜି ପୂର୍ବତନ ବିଧାୟକ ଶଶୀଭୂଷଣ ବେହେରା ମୁହଁ ଖୋଲିନ୍ତି। ସେ କହିଛନ୍ତି ଦଳର ବରିଷ୍ଠ ନେତାମାନଙ୍କ ପ୍ରଚାରରୁ ଦୂରରେ ରଖାଯିବାରୁ ଏହି ଦୁର୍ଦ୍ଦଶା ହେଲା ବୋଲି କହିଛନ୍ତି।