ସୁୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ବନ୍ଧୁ ସିଦ୍ଧାର୍ଥ ପିଠାନୀ ଗିରଫ

ନୂଆଦିଲ୍ଲୀ : ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କରିଛି । ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ସିଦ୍ଧାର୍ଥଙ୍କୁ ଗିରଫ କରାଯାଇଛି ବୋଲି ଏନସିବି କହିଛି। ତାଙ୍କୁ ହାଇଦରାବାଦରୁ ଗିରଫ କରାଯିବା ପରେ ଏନସିବିର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ୫ଦିନ ପାଇଁ ଏନସିବି ହାଜତକୁ ପଠାଇ ଦେଇଛନ୍ତି। ମାଦକ ଦ୍ରବ୍ୟ କାରବାର ମାମଲାରେ ସିଦ୍ଧାର୍ଥଙ୍କୁ ଜେରା ନିମନ୍ତେ ଏନସିବି ଅନେକ ଥର ନୋଟିସ ଜାରି କରିଥିବାବେଳେ ସେ ହାଜର ହୋଇ ନଥିଲେ। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ମାଦକ ଦ୍ରବ୍ୟ କାରବାର ସମ୍ପୃକ୍ତି ଉପରେ ଏନସିବି ତଦନ୍ତ କରି ୧୨ହଜାର ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଏହି ଅଭିଯୋଗ ଫର୍ଦ୍ଦରେ ୩୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।
ସିଦ୍ଧାର୍ଥ ପିଠାନୀ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ସମୟରେ ଘରେ ଉପସ୍ଥିତ ଥିବା ୪ ଜଣଙ୍କ ମଧ୍ୟରୁ ଜଣେ । ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଇଛି । ତାଙ୍କର ଗତ ସପ୍ତାହରେ ନିର୍ବନ୍ଧ ସରିଛି । ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିଦ୍ଧାର୍ଥଙ୍କ ନାଁ ବି ମିଡିଆରେ ଚର୍ଚ୍ଚାରେ ରହିଥିଲା । ସିଦ୍ଧାର୍ଥ ହିଁ ପ୍ରଥମେ ଘର ଭିତରେ ସୁଶାନ୍ତ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସ ଓ ହସ୍ପିଟାଲକୁ ଫୋନ କରିଥିଲେ । ତେବେ ଏନସିବି ଅଧିକାରୀ ଏବେ ସିଦ୍ଧାର୍ଥ ପିଠାନୀଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚୁରା କରିବେ । କ୍ରିଏଟିଭ ଆର୍ଟ ଡିଜାଇନର ସିଦ୍ଧାର୍ଥ ପିଠାନୀ ସୁଶାନ୍ତଙ୍କ ସବୁଠୁ ଅନ୍ତରଙ୍ଗ ବନ୍ଧୁ ଥିଲେ । ଯେତେବେଳେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଘରେ ରହୁନଥିଲେ ସେ ସୁଶାନ୍ତଙ୍କ ସାମ୍ନା ରୁମରେ ରହୁଥିଲେ । ସିବିଆଇ ନିଜ ତଦନ୍ତରେ ବହୁତ ଲୋକଙ୍କୁ ପଚରାଉଚୁରା କରିଛି ।