ହିଡେନ୍ କେସ୍ ପାଇଁ ଜୋରଦାର ହେବ ସର୍ଭେଲାନ୍ସ
ଭୁବନେଶ୍ୱର : କରୋନା ଲକ୍ଷଣ ଦେଖାଗଲେ ମଧ୍ୟ ଅନେକ ଲୋକ ଟେଷ୍ଟ କରିବାକୁ ଆସୁନାହାନ୍ତି । ଯଦି ଜଣେ ଆସିବେ ନାହିଁ ଓ ତାଙ୍କର କଂଟାକ୍ଟ ଟ୍ରେସିଂ ହୋଇପାରିବ ନାହିଁ । ଏଭଳି ଅନେକ ହିଡେନ କେସ ମଧ୍ୟ ରହୁଛନ୍ତି । ଏଭଳି ଚିନ୍ତା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ସରକାରଙ୍କ ନିଷ୍ପତି ଅନୁଯାୟୀ ୩ ମାସ ଇଂଟିଗ୍ରେଟେଡ୍ କରାଯିବ ।ଏହି ସମୟରେ ଡେଙ୍ଗୁ ମଧ୍ୟ ବଢ଼ିଥାଏ, ତେଣୁ ଡେଙ୍ଗୁ ଓ ଏନସିଡିର କିଛି ରୋଗକୁ ନେଇ ମଧ୍ୟ ସର୍ଭେଲାନ୍ସ କରାଯାଉଥିଲା । ଅଗଷ୍ଟ ପର୍ଯ୍ୟନ୍ତ ସର୍ଭେଲାନ୍ସ ଚାଲିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
କୋଭିଡ୍ ପାଇଁ ଆକ୍ଟିଭ ସର୍ଭେଲାନ୍ସ ଓ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ପାଇଁ ମଧ୍ୟ ଚାଲିବ । ଆଶା କର୍ମୀମାନଙ୍କ ଦ୍ୱାରା ଯେଉଁ ଡୋର ଟୁ ଡୋର ସର୍ଭେ ଓ ମନିଟର ହୋଇଥିଲା, ତାହା ଦ୍ୱାରା ୧ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଲେ । ମୁଖ୍ୟତଃ ସର୍ଭେଲାନ୍ସ କରି ହିଡେନ କେସଗୁଡ଼ିକ ବାହାର କଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ । ଯଦି ତୃତୀୟ ଲହର ଆସୁଛି ତେବେ ହିଡେନ କେସ ନିଶ୍ଚିତ ରହିବ । ତେଣୁ ଡୋର ଟୁ ଡୋର ସର୍ଭେଲାନ୍ସ ଏକ ଅମୋଘ ଅସ୍ତ୍ର । ଅଗଷ୍ଟ ୨୪ ପରେ ମଧ୍ୟ ସର୍ଭେଲାନ୍ସ ଜୋରସୋରରେ ଚାଲିବ । ସେ ଆହୁରି କହିଛନ୍ତି ଯେ ଇଂଟିଗ୍ରେଟେଡ୍ ଡିଜିଜ ସର୍ଭେଲାନ୍ସରେ ସାପ୍ତାହିକ ସର୍ଭେଲାନ୍ସ ହୁଏ । ସେଥିରେ ଡାଟା ଆସିଥାଏ ଏବଂ ଯେଉଁ କର୍ମଚାରୀମାନେ ସର୍ଭେଲାନ୍ସରେ ଯାଇଥାନ୍ତି, ସେମାନେ ରିପୋର୍ଟ ଦିଅନ୍ତି । ସବୁ ହାଉସହୋଲ୍ଡ ଟଚ କରିବାକୁ ପ୍ରାଧାନ୍ୟ ଦିଆଯାଉଛି । ତାହାଦ୍ୱାରା ହିଡେନ କେସ ସାମ୍ନାକୁ ଆସିପାରିବ । କାରଣ ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ରିପୋର୍ଟ ହିଁ କରୁନାହାନ୍ତି । ଜ୍ୱର ହେଲେ ଔଷଧ ଖାଇଦେଉଛନ୍ତି । ସେଥିପାଇଁ ମେଡିସିନ ଦୋକାନୀମାନଙ୍କୁ ନିର୍ଦ୍ଦେଶ ରହିଥିଲା, ଯେ ଯିଏ ବି ଜ୍ୱର ଓ ଥଣ୍ଡା ପାଇଁ ମେଡିସିନ ନେଇ ଖାଉଛନ୍ତି, ସେମାନଙ୍କର ତଥ୍ୟ ସରକାରଙ୍କୁ ଦେବେ । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା ସବୁବେଳେ ଫୋକସରେ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।