ଆଜିଠୁ ସମସ୍ତ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ : କରୋନା କଟକଣାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପାଇଁ ଗାଇଡଲାଇନ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ପରିପ୍ରେକ୍ଷୀରେ ଆଜି ବନ୍ଦ ରହିବ ଶ୍ରୀମନ୍ଦିର । ସେହିପରି ଆଜି ଠାରୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଏଥି ପାଇଁ ଆଜିଠାରୁ ନୂଆ ଏସ୍ଓପି ଜାରି ହୋଇଛି। ପ୍ରତି ରବିବାର ଦର୍ଶନ ବନ୍ଦ ରଖି ମନ୍ଦିର ପ୍ରଶାସନ ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ବିଶୋଧନ କରିବ। ରବିବାର ସମେତ ସପ୍ତାହରେ ଅନ୍ୟ ଦୁଇଦିନ ଦର୍ଶନ ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଭିତର ଏବଂ ବାହାର ବିଶୋଧନ କରାଯିବ। ଆଗକୁ ନିୟମ ଆହୁରି କଡ଼ାକଡ଼ି କରିବା ସହ ବାହାର ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇବାକୁ ଯୋଜନା ହୋଇଛି। ବ୍ୟାରିକେଡ୍ ଭିତରେ ଓ ଠାକୁରଙ୍କୁ ଦର୍ଶନ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ ବାଧ୍ୟତାମୂଳକ କରାଯାଇଛି। ସେହିପରି ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ କରୋନା କଟକଣା ମାନିବାକୁ ପଡିବ। ଶ୍ରୀମନ୍ଦିର ପରିସରରେ ପାନ ଗୁଟୁଖା ଖାଇଲେ ୧ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଶ୍ରୀମନ୍ଦିର ଭିତରକୁ ପଲିଥିନ୍ ନେଲେ ଲାଗିବ ୧୦୦ଟଙ୍କାର ଫାଇନ୍ । ସମୟ ସମୟରେ କରୋନା ସ୍ଥିତିକୁ ଦେଖି ଏସଓପିରେ ପରିବର୍ତ୍ତନ କରାଯିବ । ଏହାଛଡା ରାଜ୍ୟ ବାହାର ଲୋକଙ୍କ ପାଇଁ ସରକାର ଯଦି କୌଣସି କଟକଣା ଜାରି କରନ୍ତି ଶ୍ରୀମନ୍ଦିରରେ ତାହାକୁ ପାଳନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ପ୍ରକାଶ କହିଥିଲେ।
ଶ୍ରୀମନ୍ଦିର ଦର୍ଶନ ଉପରେ ଆଜି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ରାଜସ୍ବ ପ୍ରଶାସନ ସୁବ୍ରତ ବେହେରାଙ୍କ ସମେତ ମନ୍ଦିର ସହ ସଂପୃକ୍ତ ବ୍ୟକ୍ତି ବିଶେଷ (ଷ୍ଟେକ୍ହୋଲ୍ଡରସ୍) ବୈଠକରେ ଉପସ୍ଥିତ ଥିଲେ। ରବିବାର ବ୍ୟତୀତ ଅନ୍ୟଦିନ ଗୁଡିକ ସକାଳ ୬ଟାରୁ ଠାକୁରଙ୍କ ଦର୍ଶନ ଆରମ୍ଭ ହେବ। ରବିବାର ଦର୍ଶନ ବନ୍ଦ କଟକଣା ଆଜି ଠାରୁ କାର୍ଯ୍ୟକାରୀ ହେବ। ଗତମାସ ୨୩ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଏଭଳି କଟକଣା ଜାରି କରାଯାଇଛି। ଦର୍ଶନ ବ୍ୟବସ୍ଥାବଳୀ ସମୀକ୍ଷା କରାଯାଇ କରୋନା ବିପତ୍ତି ପରିଚାଳନାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ମନ୍ଦିର ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିବ। ପୂର୍ବ ଏସ୍ଓପି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଥିଲା। ମାସ୍କ୍, ସାନିଟାଇଜ୍ ବ୍ୟବସ୍ଥା କଡ଼ାକଡ଼ି ପାଳନ ହେବ। ଦର୍ଶନ ପୂର୍ବରୁ ଭକ୍ତ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବାହାର ରାଜ୍ୟର ଭକ୍ତଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିୟମ ଜାରି କରିଛନ୍ତି, ତାକୁ କଡ଼ାକଡ଼ି ଅନୁପାଳନ କରାଯିବ।