ଶ୍ରୀମନ୍ଦିର ପାଇଁ ଏସଓପି : ରବିବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ
ଅନ୍ୟ ଦିନରେ ସକାଳ ୬ରୁ ଜଗା ଦର୍ଶନ
ସପ୍ତାହକୁ ୨ଥର ମନ୍ଦିର ପରିସରକୁ ସାନିଟାଇଜ କରାଯିବ
ପୁରୀ : କରୋନା କଟକଣାକୁ ଆଖି ଆଗରେ ରଖି ପୁରୀ ଶ୍ରୀମନ୍ଦିର ପାଇଁ ଗାଇଡଲାଇନ ଜାରି କରିଛି ମନ୍ଦିର ପ୍ରଶାସନ। ଆସନ୍ତାକାଲି ଠାରୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କୌଣସି ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ନାହିଁ। ସାନିଟାଇଜ୍ ପାଇଁ ଶ୍ରୀମନ୍ଦିରକୁ ଏହି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସପ୍ତାହରେ ୨ ଥର ରାତିରେ ମନ୍ଦିର ବନ୍ଦ ପରେ ସାନିଟାଇଜ କରାଯିବ। ରବିବାର ବ୍ୟତୀତ ଅନ୍ୟଦିନ ସକାଳ ୬ଟାରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ। ଶ୍ରୀମନ୍ଦିରରେ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ କରୋନା କଟକଣା ମାନିବାକୁ ହେବ। ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁକରଣ କରାଯିବ। ଏହା ସହ ସମୟ ସମୟରେ କରୋନା ସ୍ଥିତିକୁ ଦେଖି ଏସଓପିରେ ପରିବର୍ତ୍ତନ ଅଣାଯିବ । ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫ୍କୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।
ସୂଚନା ଯେ, ଗତ ୨୩ ତାରିଖରେ ବସିଥିଲା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଏଥିରେ ଶ୍ରୀମନ୍ଦିର ସାନିଟାଇଜ୍ ପାଇଁ ରବିବାର ବନ୍ଦ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଥିବାରୁ ମାସ୍କ ଓ ସାନିଟାଇଜ୍ ବାଧ୍ୟତାମୂଳକ କରାଯାଇଥିଲା। ଅନ୍ୟପକ୍ଷରେ ମହାମାରୀ କରୋନା ସମୟରେ ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଡିସେମ୍ବର ମାସରେ ଖୋଲିଥିଲା ଶ୍ରୀମନ୍ଦିର। ତା’ପରଠୁ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଏବେ ପୁନର୍ବାର କୋଭିଡ୍ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପରେ ପୁଣି ଆରମ୍ଭ ହୋଇଛି କଟକଣା।