ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ରୁକୁଣା ରଥଯାତ୍ରା ବାହୁଡା ଯାତ୍ରାରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଗତବର୍ଷ ନୀତି ନିର୍ଘଣ୍ଟ ଅନୁସାରେ ରଥଯାତ୍ରା ଓ ବାହୁଡା ଯାତ୍ରା ସମ୍ପାଦିତ କରିବା ପାଇଁ ସେବାୟତମାନେ ସହମତି ପ୍ରକାଶ କରିଥିଲେ ।
ଆସନ୍ତା ୨୦ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପଡୁଛି । ଏହି ଦିନ ଭୋର ୫ଟାରେ ମନ୍ଦିର ପହଡ ଖୋଲି ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ଅନ୍ୟାନ୍ୟ ନୀତି କରାଯିବ।ଏହାପରେ ଅନ୍ୟାନ୍ୟ ନୀତି ହୋଇ ଦିନ ସାଢେ ୧୨ଟାରୁ ଅପରାହ୍ଣ ସାଢେ ଗୋଟାଏ ଭିତରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେହୋଇ ଅପରାହ୍ଣ ସାଢେ୩ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସନ୍ଧ୍ୟା ସାଢେ୭ଟାରେ ଶ୍ରୀଜୀଉ ରାମେଶ୍ୱର ମନ୍ଦିରରେ ବିଜେ କରିବା ପରେ ସେଠାରେ ଅନ୍ୟାନ୍ୟ ନୀତି କରାଯିବ। ସେହିପରି ଆସନ୍ତା ୨୪ ତାରିଖରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରରେ ଅପରାହ୍ନ ସାଢେ ଗୋଟାଏ ମଧ୍ୟରେ ଅଧରପଣା ଭୋଗ କରାଯାଇ ଶ୍ରୀଜୀଉଙ୍କ ପହଣ୍ଡି ନୀତି ଅପରାହ୍ନ ୩ଟାରେ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।