ଗୁଜରାଟରେ ସାମୁଦ୍ରିକ ଝଡ଼ର ସଂକେତ, ସତର୍କ ସୂଚନା ଜାରି
ଅହମଦାବାଦ : କରୋନା ଭାଇରସ ମହାମାରୀ ମଧ୍ୟରେ ଗୁଜରାଟରେ ସାମୁଦ୍ରିକ ଝଡ଼ର ସଂକେତ ମିଳିଛି । ଏହି ବାତ୍ୟା ବହୁ କ୍ଷୟକ୍ଷତି ଘଟାଇପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏହି ବାତ୍ୟା ପଶ୍ଚିମ ଉପକୂଳରେ ଆସନ୍ତା ୧୭ ଓ ୧୮ ତାରିଖରେ ପହଂଚିପାରେ । ମାତ୍ର ଏହି ଝଡ଼ ପାକିସ୍ତାନର କରାଚୀ ଉପକୂଳରେ ପହଂଚିବାର ଆଶଙ୍କା ଦେଖାଯାଇଛି । କିନ୍ତୁ ଗୁଜରାଟର ସମୁଦ୍ର ତଟକୁ ବାତ୍ୟା ପ୍ରଭାବିତ କରିବାର ଆଶଙ୍କା ରହିଛି । ଚଳିତ ବର୍ଷର ଏହା ପ୍ରଥମ ବାତ୍ୟା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ନାମ ତୌକାତେ । ଏଥର ବାତ୍ୟାର ନାମ ମିଆଁମାର ତରଫରୁ ରଖାଯାଇଛି । ଏହାର ଅର୍ଥ ଅତ୍ୟଧିକ ଶବ୍ଦ କରୁଥିବା ଝିଟିପିଟି ।
ସୂଚନା ଯେ, ଭାରତ ମହାସାଗର ଅଂଚଳରେ ୮ଟି ଦେଶ ଭାରତର ପ୍ରଥମ ସାମୁଦ୍ରିକ ଝଡ଼କୁ ନାମ ଦେବାର ବ୍ୟବସ୍ଥା ଆରମ୍ଭ କରିଥିଲା । ଏହି ଦେଶ ମଧ୍ୟରେ ଭାରତ ବ୍ୟତୀତ ବାଂଲାଦେଶ, ପାକିସ୍ତାନ, ମିଆଁମାର, ମାଳଦୀପ, ଶ୍ରୀଲଙ୍କା, ଓମାନ ଓ ଥାଇଲାଣ୍ଡ ଅଛି । ଗୁଜରାଟରେ ବାତ୍ୟା ଆସିବାର ଆଶଙ୍କା ନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସତର୍କ ସୂଚନା ଦିଆଯାଇଛି । ଜରୁରୀକାଳୀନ ବ୍ୟବସ୍ଥା ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅଧିକାରୀଙ୍କ ଅନୁମାନ ଅନୁସାର ପୂର୍ବ-ମଧ୍ୟ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାରେ ସୌରାଷ୍ଟ୍ର ଏବଂ ଦକ୍ଷିଣାଚଂଳ ସମେତ ଗୁଜରାଟର ଉପକୂଳ ଅଂଚଳ ପ୍ରଭାବିତ ହୋଇପାରେ ।