ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ହେଲେ ଶିବସୁନ୍ଦର

ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଓଡ଼ିଆ ତାରକା ଖେଳାଳୀ ଶିବସୁନ୍ଦର ଦାସଙ୍କୁ ବିସିଆଇ ପକ୍ଷରୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ଭାବେ ନିଯୁକ୍ତି ପ୍ରଦାନ କରାଯଇଛି। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ଇଂଲଣ୍ଡ ଟୁର୍ ପାଇଁ ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି। ସେହିପରି ଦିଲ୍ଲୀର ପୂର୍ବତନ ୱିକେଟକିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି।
ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମିଳିଲେ ଆଉ ଦୁଇ କୋଚ୍। ପୂର୍ବତନ ଓପନର ଶିବସୁନ୍ଦର ଦାସଙ୍କୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ କରାଯାଇଛି। ଦଳ ଆଗାମୀ ମାସରେ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ଏହା ପୂର୍ବରୁ ରମେଶ ପାଓ୍ଵାରଙ୍କୁ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ଦିଆଯାଇଛି। କୋଚ୍ ପାଇଁ ମୋଟ୍ ୩୫ ଜଣ ଆବେଦନ କରିଥିଲେ। ଏହା ପରେ ୮ ଜଣଙ୍କ ସାକ୍ଷାତକାର ନେଇଥିଲା ବିସିସିଆ। ପାଓ୍ଵାରଙ୍କୁ ପୁନର୍ବାର ମୁଖ୍ୟ ପ୍ରଶିକ୍ଷକ ଭାବେ ଚୟନ କରାଯାଇଥିବା ବେଳେ ଶିବସୁନ୍ଦରଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ଵ ଦିଆଯାଇଛି। ଏନେଇ ବିସିସିଆଇ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଶିବ ସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍ ହେବା ନିଶ୍ଚିତ ଭାବେ ଓଡିଶା ପାଇଁ ଗର୍ବର ବିଷୟ ହୋଇଛି। ୪୩ ବର୍ଷୀୟ ଦାସ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୦ ହଜାରରୁ ଅଧିକ ରନ କରିଛନ୍ତି। ଏହି ଡାହାଣହାତୀ ବ୍ୟାଟସମ୍ୟାନ ୧୮୦ଟି ମ୍ୟାଚ୍ରେ ୩୯ ହାରରେ ୧୦,୯୦୮ ରନ କରିଛନ୍ତି। ଏଥିରେ ୨୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ। ଅପରାଜିତ ୩୦୦ ରନ ତାଙ୍କର ସର୍ବୋଚ୍ଚ ସ୍କୋର। ଶିବ ସୁନ୍ଦର ଦାସ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳି ୩୫ ହାରରେ ୧୩୨୬ ରନ କରିଛନ୍ତି। ଏଥିରେ ଦୁଇ ଶତକ ଓ ୯ ଅର୍ଦ୍ଧଶତକ ସାମିଲ। ସେ ଭାରତ ପକ୍ଷରୁ ୪ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଓଡିଶାର ତୃତୀୟ ଖେଳାଳି। ଏହା ପୂର୍ବରୁ ଶିବସୁନ୍ଦର ଦାସ ୨୦୧୭ରେ ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଆସୋସିଏସନ ଦ୍ଵାରା ବାର୍ବାଡୋସ୍ କ୍ରିକେଟ୍ ଟିମର କୋଚ୍ ରହି ସାରିଛନ୍ତି। ୨୦୧୮ରେ ସେ ମଣିପୁର କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ରହିଛନ୍ତି। ସେ ୨୦୧୬ରୁ ୧୬ ବର୍ଷରୁ କମ ଏବଂ ୧୯ ବର୍ଷରୁ କମ କ୍ରିକେଟ୍ରଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। କୋଚିଂରେ ଦାସଙ୍କ ଢେର ଅଭିଜ୍ଞତା ରହିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଜାତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ ଭାବେ ନିଯୁକ୍ତ କରିଛି।