ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ
ମହାରାଷ୍ଟ୍ର : ମହାମାରୀ ସମୟରେ ସକ୍ରିୟ ହୋଇପଡିଛନ୍ତି ମାଓବାଦୀ । ମହାରାଷ୍ଟ୍ର ଗଡଚିରୋଲିରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ମାଓବାଦୀ । ସକ୍ରିୟ ହୋଇ ଉଠିଥିବା ମାଓବାଦୀଙ୍କୁ କଡ୍ଡା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ଏଟ୍ଟାପଲ୍ଲୀ ଜଙ୍ଗଲରେ ଏନକାଉଣ୍ଟରରେ ଟଳିଛନ୍ତି ୨ ମାଓବାଦୀ । ଏହାସହ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ ।
ଗଡଚିରୋଲିର ଏସପି ଅଙ୍କିତ ଗୋୟଲ ଏହି ସୂଚନା ଦେଇଛନ୍ତି । ସୁଚନା ଅନୁଯାୟୀ ମହାରାଷ୍ଟ୍ରର ଗଡ଼ଚିରୋଲି ହେଉଛି ମାଓ ପ୍ରବଣ ଏରିଆ । ଏଟ୍ଟାପଲ୍ଲୀ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ପୋଲିସକୁ ଗୁଇନ୍ଦା ସୂତ୍ରୁରୁ ସୂଚନା ମିଳିଥିଲା । ପରେ ପୋଲିସ ତାର ଅପରେସନ୍ ଆରମ୍ଭ କରିଥିଲା । ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ତେବେ ସୁରକ୍ଷାକର୍ମୀ ମାନେ ଏହାର ପାଲଟା ଜବାବ ଦେଇଥିଲେ । ଯାହାଫଳରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏନକାଉଣ୍ଟର ସ୍ଥଳରୁ ବର୍ତ୍ତମାନ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହାପରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।