ଦ୍ଵିତୀୟ ଦିନିକିଆ : ୩ ଓ୍ଵିକେଟ୍ରେ ଜିତି ସିରିଜ୍ କବଜା କଲା ଭାରତ

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଦିନିକିଆ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ସନକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଉଦନାଙ୍କ ସ୍ଥାନରେ କସୁନ ରଂଜିତା ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି । ତେବେ ଏହି ମ୍ୟାଚ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି । ପ୍ରଥମ ଦିନିକିଆ ଅପେକ୍ଷା ଦ୍ଵିତୀୟ ମ୍ୟାଚ୍ରେ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରିଛି ଶ୍ରୀଲଙ୍କା। ଚରିଥ ଅସଲଙ୍କା ଓ ଅବିଷ୍କା ଫର୍ଣ୍ଣାଡୋଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୭୫ ରନ କରିଛି। ଭାରତ ସମ୍ମୁଖରେ ରହିଛି ୨୭୬ ରନର ବିଜୟ ଲକ୍ଷ୍ୟ। ଚରିଥ ଅସଲଙ୍କା ୭୦ ରନ ଓ ଅବିଷ୍କା ଫର୍ଣ୍ଣାଡୋ ୫୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଶେଷ ଆଡକୁ ଚରିଥ କରୁଣାରତ୍ନେ ଦ୍ରୁତ ୪୪ ରନର ଉଲ୍ଲେଖନୀୟ ଅପରାଜିତ ପାଳି ଖେଳିଛନ୍ତି। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ଵର କୁମାର ପ୍ରତ୍ୟୋକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ପ୍ରଥମେ ବୋଲିଂ ଏବଂ ପରେ ବ୍ୟାଟିଂରେ ଦମ ଦେଖାଇଲେ ଦୀପକ ଚହର, ଆଉ ଭାରତକୁ ଦେଲେ ଏକ ସ୍ମରଣୀୟ ବିଜୟ। ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଏଠାରେ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ଘରୋଇ ଶ୍ରୀଲଙ୍କାକୁ ୩ ଓ୍ଵିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜ୍ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ଭାରତର ବିଜୟରେ ନାୟକ ସାଜିଛନ୍ତି ଦୀପକ ଚହର। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଚରିଥ ଅସଲଙ୍କା ୭୦ ରନ ଓ ଅବିଷ୍କା ଫର୍ଣ୍ଣାଡୋ ୫୦ ରନ ବଳରେ ୯ ଓ୍ଵିକେଟ୍ ହରାଇ ୨୭୫ ରନ କରିଥିଲା। ଜବାବରେ ଭାରତ ଦୀପକ ଚହରଙ୍କ ଅପରାଜିତ ୬୯ ରନର ଇନିଂସ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୫୦ ରନ ବଳରେ ୪୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଖାସ୍ କରି ଅଷ୍ଟମ ଓ୍ଵିକେଟ୍ରେ ଦୀପକ ଚହର ଓ ଭୁବନେଶ୍ଵର କୁମାର ଅପରାଜିତ ୮୪ ରନ ଯାେଡି ଦଳକୁ ଜିତାଇଛନ୍ତି। ଅଲରାଉଣ୍ଡର ପ୍ରଦର୍ଶନ କରି ଭାରତକୁ ଜିତାଇଥିବା ଦୀପକ ଚହର ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।