ଆଜି ଓ ଆସନ୍ତାକାଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ ସେବା ବନ୍ଦ ରହିବ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ସତର୍କ ସୂଚନା । ଯଦି ଆପଣଙ୍କର ଖାତା ଷ୍ଟେଟ ବ୍ୟାଙ୍କରେ ଅଛି, ତା’ହେଲେ ଆପଣ ନିଶ୍ଚିତ ଭାବେ ଏହି ସୂଚନା ଜାଣିବାର ଆବଶ୍ୟକତା ଅଛି । କାରଣ ବ୍ୟାଙ୍କର ଡିଜିଟାଲ ସେବା ଜୁଲାଇ ୧୬ ଓ ୧୭ ତାରିଖରେ କିଛି ସମୟ ପାଇଁ ବନ୍ଦ ରହିବ । ଏଥି ପାଇଁ ଆପଣ ଏହି ସମୟ ଆସିବା ପୂର୍ବରୁ ଟଙ୍କା ଉଠାଇ ନେଲେ ଭଲ । ବ୍ୟାଙ୍କ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାକୁ ନେଇ ଟୁଇଟ ଜରିଆରେ ନିଜର ଗ୍ରାହକମାନଙ୍କ ପାଇଁ ସୂଚନା ଦେଇଛି । ଏଥିରେ ଲେଖାଯାଇଛି ଯେ, ଯାନ୍ତ୍ରିକ ତ୍ରୁଟିର ସମାଧାନ ପାଇଁ ଜୁଲାଇ ୧୬ ଓ ୧୭ ତାରିଖ ରାତି ୧୦ଟା ୪୫ରୁ ରାତି ୧ଟା ୧୫ ପର୍ଯ୍ୟନ୍ତ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବନ୍ଦ ରହିବ । ଏହି ସମୟରେ ଗ୍ରାହକମାନେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ୟୋନୋ, ୟୋନୋ ଲାଇଟ ଏବଂ ୟୁପିଆଇ ସେବା ପାଇବାରୁ ବଂଚିତ ହେବେ । ଗ୍ରାହକଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ।
ସୂଚନା ଯେ, ଭାରତୀୟ ଷ୍ଟେଟ ବ୍ୟାଙ୍କର ୨୨ ହଜାରରୁ ଅଧିକ ଶାଖା ରହିଛି । ୨୦୨୧ ଡିସେମ୍ବର ୩୧ର ତଥ୍ୟ ଅନୁସାରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗର ଗ୍ରାହକଙ୍କ ସଂଖ୍ୟା ୮.୫ କୋଟି । ମୋବାଇଲ ବ୍ୟାଙ୍କିଙ୍ଗ ଗ୍ରାହକଙ୍କ ସଂଖ୍ୟା ୧.୯ କୋଟି ଓ ୟୁପିଆଇ ଗ୍ରାହକଙ୍କ ସଂଖ୍ୟା ୧୩.୫ କୋଟିରୁ ଅଧିକ । ବ୍ୟାଙ୍କର ଯାନ୍ତ୍ରିକ କାର୍ଯ୍ୟ ଯୋଗୁଁ ଏତେ ସଂଖ୍ୟାରେ ଗ୍ରାହକଙ୍କ ନେଣ-ଦେଣ ଅସୁବିଧା ହେବ ।