ବାଲେଶ୍ୱର : ଗହଣା ଦୋକାନୀଙ୍କ ଠାରୁ ୧୦ଲକ୍ଷ ଟଙ୍କା ଲୁଟ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଗହଣା ଦୋକାନୀଙ୍କ ଠାରୁ ୧୦ଲକ୍ଷ ଟଙ୍କା ଲୁଟ । ପୁରୁଣା ସୁନା କିଣିବାକୁ ଯାଉଥିବା ବେଳେ ଗୁରୁବାର ଅପରାହ୍ନ ସାଢ଼େ ୪ଟାରେ ବ୍ୟବସାୟୀ ଜଣକ ଲୁଟର ଶିକାର ହୋଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।
ସୂଚନା ଯେ, ବାଲେଶ୍ୱର ସହର ମୋତିଗଞ୍ଜ ବଜାରରେ ଅବସ୍ଥିତ ଗହଣା ଦୋକାନ ମାଲିକ ଦୀନେଶ ସାଙ୍ଗଭି (୫୨)ଙ୍କୁ ସହଦେବଖୁଣ୍ଟା ଅଞ୍ଚଳର ତାଙ୍କ ବନ୍ଧୁଙ୍କ ପୁଅ କିଛିଦିନ ପୂର୍ବରୁ ଫୋନ କରି ନୀଳଗିରି ଅଞ୍ଚଳରେ ଜଣେ ଲୋକ ଗହଣା ବିକ୍ରି କରିବେ ଏବଂ ତାଙ୍କର ଟଙ୍କାର ବହୁତ ଆବଶ୍ୟକତା ରହିଥିବା ନେଇ କହିଥିଲେ। ଯୋଗାଯୋଗ ପରେ ଗୁରୁବାର ଏହି ବ୍ୟବସାୟୀ ଜଣକ ଜଣେ କର୍ମଚାରୀଙ୍କୁ ଧରି ସ୍କୁଟିରେ ନୀଳଗିରି ଆସିଥିଲେ। ତେବେ ତାଙ୍କୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ନିକଟସ୍ଥ ଖୁମକୁଟ ଅଞ୍ଚଳକୁ ଡକା ଯାଇଥିଲା। ହଠାତ ୩ଟି ବାଇକରେ ୯ଜଣ ଦୁର୍ବୃତ୍ତ ଏବଂ ଖାକି ପୋଷାକରେ ୩ଜଣ ଯୁବକ ସେହି ସ୍ଥାନରେ ପହଞ୍ଚି ଯାଞ୍ଚ କରିବେ ବୋଲି କହିଥିଲେ। ନିଜକୁ ବନ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ସ୍କୁଟି ଡିକି ତଲାସି ବାହାନାରେ ବ୍ୟବସାୟୀଙ୍କ ମୁଣ୍ଡରେ ୨ଟି ବନ୍ଧୁକ ଲଗାଇ ତାଙ୍କ ଡିକି ଖୋଲି ୧୦ଲକ୍ଷ ଟଙ୍କା, ମୋବାଇଲ ଓ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ଲୁଟି ଫେରାର ହୋଇ ଯାଇଛନ୍ତି। ଏହି ଘଟଣାରେ ନୀଳଗିରି ଏସଡିପିଓ ରୀତେଶ ମହାପାତ୍ରଙ୍କ ନିର୍ଦେଶରେ ଆଇଆଇସି ପ୍ରଭଞ୍ଜନ ବେହେରା, ସବଇନ୍ସପେକ୍ଟର ବାସୁଦେବ ଜୟସିଂ ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧ୍ୟା ସମୟରେ ଏନେଇ ୪ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ଖବରପାଇ ରାତିରେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ମଧ୍ୟ ନୀଳଗିରି ଥାନାରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି।